କେସିଙ୍ଗା- କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ଗ୍ରାମ ପଞ୍ଚାୟତର ସରପଞ୍ଚ ଭାରତୀ ସୁନାଙ୍କ ବିରୋଧରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଣି ୧୧ ଜଣ ଓ୍ବାର୍ଡ ମେମ୍ବର ଜିଲ୍ଲା ପ୍ରଶାସନ ନିକଟରେ ଅନାସ୍ଥା ପ୍ରସ୍ତାବ ପାଇଁ ଦାବି କରିଥିଲେ। ଏହି କ୍ରମରେ ଜିଲ୍ଲା ପ୍ରଶାସନ ଶ୍ରୀମତୀ ସୁନାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ନଭେମ୍ବର ୨୮ ତାରିଖ ଧାର୍ଯ୍ୟ କରିଥିଲା। ଏହା ପୂର୍ବରୁ ସରପଞ୍ଚ ଶ୍ରୀମତୀ ସୁନା ମାନ୍ୟବର ଓଡ଼ିଶା ହାଇକୋର୍ଟରେ ଏକ ରିଟ୍ ପିଟିସନ୍ ଦାୟର କରିଥିଲେ। ରିଟ୍ ପିଟିସନ୍- ଡବ୍ଲୁ. ପି (ସି) ନଂ ୨୯୨୮୯ ଅଫ୍ ୨୦୨୪ କୁ ଖାରଜ କରି ଗତ ତା. ୨୬. ୧୧. ୨୦୨୪ରେ ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ଆଦେଶନାମା ଦେଇଥିଲେ। ଏହାକୁ ଆଧାର କରି ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ସାରି ଅନାସ୍ଥା ପ୍ରସ୍ତାବ ପାଇଁ ଧାର୍ଯ୍ୟ ତାରିଖରେ ନର୍ଲା ତହସିଲଦାରଙ୍କୁ ନିର୍ବାଚନ ଅଧିକାରୀ ଭାବେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଗତ ୨୮ ନଭେମ୍ବର ମାସରେ ନର୍ଲା ତହସିଲଦାର ବାଲସି ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ଭୋଟିଂ କରିଥିଲେ। ଏହି ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ୧୧ ଜଣ ଓ୍ବାର୍ଡ ମେମ୍ବର ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ନେଇ ଘୋଷଣା ହେବା ପରେ ବିଳମ୍ବରେ ମାନ୍ୟବର ହାଇକୋର୍ଟରୁ ୨୮ ତାରିଖ ଦିନ ଏକ ରିଭ୍ୟୁ ପିଟିସନକୁ ବିଚାର କରି ଆସନ୍ତା ଡିସେମ୍ବର ୭ ତାରିଖରେ ଶୁଣାଣି କରିବା ସହ ଅର୍ଡର ପାଇଁ ଆଦେଶନାମା ଜାରି କରିଥିବାରୁ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି।