କେସିଙ୍ଗା- କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହର ମୁଖ୍ୟଦ୍ବାର ବୋଲି କୁହାଯାଏ। କାରଣ ଏହି ସହର ମଧ୍ୟ ଦେଇ ୨୬ ନମ୍ବର ଜାତୀୟ ରାଜପଥ ଯାଇଥିବା ବେଳେ ଏହି ରାସ୍ତା ଜିଲ୍ଲାର ବହୁ ବ୍ଲକ ସହ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଜିଲ୍ଲା ଏବଂ ଉମରକୋଟ ଆଦି ଅଞ୍ଚଳକୁ ସଂଯୋଗ କରୁଛି। ତେଣୁ କେସିଙ୍ଗା ସହର ମଧ୍ୟରେ ଅନେକ ବଡ ବଡ ଭାରିଯାନ ଦୂରଦୂରାନ୍ତ ସ୍ଥାନକୁ ଯାତାୟାତ କରୁଥିବାରୁ ଘୋର ଟ୍ରାଫିକ୍ ସମସ୍ୟା ଦେଖାଦେଇଛି। ଏପରିକି ଟ୍ରାଫିକ୍ ସମସ୍ୟା ଯୋଗୁଁ ବହୁ ଧନଜୀବନ ମଧ୍ୟ ନଷ୍ଟ ହେଉଛି। ଏହାକୁ ଦୃଷ୍ଟିରେ ରଖି ସହରର ଅନେକ ବୁଦ୍ଧିଜୀବୀ ବହୁ ସମୟରେ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଥିବା ବେଳେ ବିଭିନ୍ନ ଗଣମାଧ୍ୟମ ମଧ୍ୟ ଏଥିଲାଗି ସ୍ବର ଉତ୍ତୋଳନ କରିଆସୁଛି। ତେବେ ରାଜ୍ୟ ସରକାରଙ୍କ କାର୍ମିକ ବିଭାଗ ଠିକାସଂସ୍ଥା ସହିତ ଏଗ୍ରିମେଣ୍ଟ ଅନୁସାରେ ୧୫୮ କୋଟି ବ୍ୟୟ ଅଟକଳରେ ଏକ ରେଳଓ୍ବେ ଓଭର ବ୍ରିଜ୍ ପାଇଁ ଅର୍ଥ ମଞ୍ଜୁର ହୋଇଛି। ରାଜ୍ୟ ସରକାରଙ୍କ କାର୍ମିକ ବିଭାଗ ଏଗ୍ରିମେଣ୍ଟ ନଂ ସିସିଇ- ଡବ୍ଲୁଏନଏଚସି- ଏସଇବି- ଇପିସି- ୦୨/୨୦୨୨-୨୩ ଅନୁସାରେ ଠିକାସଂସ୍ଥା ସହିତ ଚୁକ୍ତି ହୋଇଥିବା ଜଣାଯାଇଛି। ଏହି ବ୍ରିଜ୍ କୁ ସଂଯୋଗୀକରଣ ପାଇଁ ବର୍ତ୍ତମାନ ଏକ ରାସ୍ତା କାମ ଚାଲିଥିବା ବେଳେ କୁର୍ଲୁପଡା ଠାରୁ ଜୋଲକ ପର୍ଯ୍ୟନ୍ତ ଆଉ ଏକ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ସରକାର ଏପର୍ଯ୍ୟନ୍ତ ଅର୍ଥ ମଞ୍ଜୁର କରିନାହାନ୍ତି। ଯାହାକୁ ନେଇ କେସିଙ୍ଗା ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବାଇପାସ୍ ରାସ୍ତା ପାଇଁ ସହରର ସଚେତନ ନାଗରିକ ତଥା ବୁଦ୍ଧିଜୀବୀ ମାନେ ୩ ଟି ଗ୍ରୁପ୍ ରେ ଅଲଗା ଅଲଗା ଯାଇ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେଓଙ୍କୁ ସାକ୍ଷାତ କରି ବାଇପାସ୍ ରାସ୍ତାର ରୂପରେଖ ନେଇ ଆଲୋଚନା କରିଛନ୍ତି। କିନ୍ତୁ ପରିତାପର ବିଷୟ କୈାଣସି ଗ୍ରୁପ୍ ଏପର୍ଯ୍ୟନ୍ତ ରାସ୍ତା କେଉଁଠୁ ଆରମ୍ଭ ହେବ ଏବଂ କେଉଁଠି ଶେଷ ହେବ ତାହାର ନକ୍ସା ଦେଇନଥିବା ଜନୈକ ବିଜେପି କର୍ମକର୍ତ୍ତା ଙ୍କ ଠାରୁ ସୂଚନା ମିଳିଛି।