
କଲମପୁର, ୩୦/୧୧ (ଗଣେଶରାମ ବାଗ) କଲମପୁର ଥାନା ଅନ୍ତର୍ଗତ ବରଗାଁ ଛକ ନିକଟରେ ଥିବା ଠିପି ଖୋଲା ମଦ ଦୋକାନ (ବାର) ରେ ଗତ ଅକ୍ଟୋବର ୨୭ ତାରିଖ ରବିବାର ଅପରାହ୍ନରେ ମଦ ପିଇବା ଓ ଖାଇବା ନେଇ ରକ୍ତାକ୍ତ ସଂଘର୍ଷ ହୋଇଥିବା ଅଭିଯୋଗର ମୁଖ୍ୟ ଅଭିଯୁକ୍ତ ଦୋକାନ ମାଲିକ ଗୁଣନିଧି ସାହୁ ଦୀର୍ଘ ୧ ମାସ ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ଗତ ଶୁକ୍ରବାର ଦିନ ଧର୍ମଗଡ଼ କୋର୍ଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି l ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ମାନ୍ୟବର ସ୍ୱତନ୍ତ୍ର ବିଚାର ପତି ସୁରେଶ ଚନ୍ଦ୍ର ପ୍ରଧାନ ଧର୍ମଗଡ଼ ଅଭିଯୁକ୍ତର ବେଲ୍ ଆବେଦନକୁ ଖାରଜ କରି ଜେଲ ପଠାଇଥିବା ଜଣାପଡିଛି । ଅଭିଯୋଗକାରୀଙ୍କ ପକ୍ଷରୁ ଆଡିସନାଲ୍ ସ୍ପେସିଆଲ ପବ୍ଲିକ ପ୍ରସିକ୍ୟୁଟର ଧୀରେନ୍ଦ୍ର ନାଥ ପାତ୍ର ରହିଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ସନ୍ତୋଷ କୁମାର ମେହେର ମାନ୍ୟବର ବିଚାରପତି ଙ୍କ ଠାରେ ନିଜ ନିଜର ଯୁକ୍ତି ରଖିଥିଲେ । ସୂଚନାଯୋଗ୍ୟ ଯେ, ଆକ୍ରମଣର ଶିକାର ହୋଇଥିବା ନରସିଂହ ସୁନାନୀଙ୍କ ଅଭିଯୋଗ କ୍ରମେ ବାର ମାଲିକ ଶ୍ରୀ ସାହୁ ଜାତିଆଣ ଆକ୍ଷେପ କରି ଗୁଣ୍ଡା ଲଗାଇ ମରଣାନ୍ତକ ଆକ୍ରମଣ କରିଥିବାରୁ ସ୍ଥାନୀୟ ଯୁବକ ଶେଷଦେବ ନାଏକ ଗୁରୁତର ଆହତ ହୋଇଥିଲେ ବୋଲି ସେ କଲମପୁର ଥାନାରେ ଗତ ଅକ୍ଟୋବର ୨୭ ତାରିଖରେ ଏକ ମାମଲା ଦାଏର କରିଥିଲେ । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ କରିଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବାରୁ ତାଙ୍କୁ ଖୋଜୁଥିବା ପୋଲିସ ସୂତ୍ରରୁ ପ୍ରକାଶ । ମାନ୍ୟବର ଅଦାଲତ ଦ୍ବାରା ମୁଖ୍ୟ ଅଭିଯୁକ୍ତ ଶ୍ରୀ ସାହୁଙ୍କ ଜାମିନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଘଟଣା କଲମପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।