କେସିଙ୍ଗା- ୨/୧୨ କେସିଙ୍ଗା ବ୍ଲକ ଅନ୍ତର୍ଗତ ଫଟକାମାଲ ପଞ୍ଚାୟତର ସରପଞ୍ଚ ସୁବୋଧ କୁମାର ରଣା ଆଜି ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟିଂରେ ୧୦- ୧ ଭୋଟରେ ହାରିବା ପରେ ପଦଚ୍ୟୁତ ହୋଇଛନ୍ତି। ଓଡ଼ିଶା ଗ୍ରାମ ପଞ୍ଚାୟତ ଅଧିନିୟମ ୧୯୬୪ ର ଧାରା ୨୪(୧) ଅନୁସାରେ ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା ୧୪୭୨/ ୦୨.୧୨.୨୦୨୪ ଅନୁସାରେ ଆଜିଠାରୁ ସରପଞ୍ଚ ଶ୍ରୀ ରଣାଙ୍କୁ ପଦଚ୍ୟୁତ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ପଞ୍ଚାୟତର ୧୨ ଜଣ ଓ୍ବାର୍ଡ ମେମ୍ବର ଙ୍କ ମଧ୍ୟରୁ ୧୦ ଜଣ ସରପଞ୍ଚ ଶ୍ରୀ ରଣାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଜିଲ୍ଲା ପ୍ରଶାସନ ଆଜି ଅନାସ୍ଥା ପ୍ରସ୍ତାବ ଗୃହୀତ କରିବା ପାଇଁ ଗୁପ୍ତ ଭୋଟିଂ କରିଥିଲେ। ତେବେ ପଞ୍ଚାୟତର ୧୨ ଜଣ ଓ୍ବାର୍ଡ ମେମ୍ବର ମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ରୁ ଅଧିକ ଭୋଟ ସରପଞ୍ଚ ଶ୍ରୀ ରଣାଙ୍କ ବିରୋଧରେ ପଡ଼ିଥିଲା। ତେଣୁ କଳାହାଣ୍ଡି ଜିଲ୍ଲାପାଳ ଆଜି ଫଟକାମାଲ ସରପଞ୍ଚ ଶ୍ରୀ ରଣାଙ୍କୁ ତାଙ୍କ ପଦବୀରୁ ପଦଚ୍ୟୁତ କରିଛନ୍ତି। ଅନ୍ୟପକ୍ଷରେ ଭୋଟିଂ ପରେ ଏକ ଅପ୍ରିତୀକର ଘଟଣା ଦେଖିବାକୁ ମିଳିଥିଲା । ସମସ୍ତ ଓ୍ବାର୍ଡ ମେମ୍ବର ଭୋଟ ଦାନ ପରେ ଆଜିର ଅନାସ୍ଥା ପ୍ରସ୍ତାବ ଭୋଟିଂ ପାଇଁ ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ଵରେ ଥିବା କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ଭୋଟ ବାକ୍ସକୁ ଖୋଲିଲା ବେଳେ ବାକ୍ସ ଭିତରେ କିଛି ତରଳ ପଦାର୍ଥ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ଏକ ଡ୍ରାଏ ମେସିନ ଆଣି ସେହି ବାକ୍ସଟିକୁ ଶୁଖାଇଥିଲେ।