
କୋକସରା,୩/୧୨ (ଗଣେଶରାମ ବାଗ) ଚଳିତ ରବିଚାଷ ନିମନ୍ତେ ଇନ୍ଦ୍ରାବତୀ ମେଗାଲିଫ୍ଟ ଯୋଗେ ଜଳ ଯୋଗାଣ ଦାବି କରି ଚାଷୀମାନେ ବାରମ୍ବାର ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା ପରେ ମଧ୍ୟ କୈାଣସି ନିଷ୍କର୍ଷ ବାହାରି ନାହିଁ। ଯାହାକୁ ନେଇ ଅସନ୍ତୋଷ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇ ୨୬ ନମ୍ବର ଜାତୀୟ ରାଜପଥର ମୋଟେର ଛକଠାରେ ମଙ୍ଗଳବାର ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି। କୋକସରା କୃଷକ ସଚେତନ ମଞ୍ଚର ସଭାପତି ଚାଷୀ ନେତା ଶିବପ୍ରସାଦ ପ୍ରଧାନୀ ଓ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ବରେ ଜୟପାଟଣା, ଧର୍ମଗଡ଼ ବ୍ଳକ ଦଣ୍ଡପାଟ ଅଞ୍ଚଳର ଚାଷୀ ସମେତ କୋକସରା ବ୍ଳକର ହଜାର ହଜାର ଚାଷୀ ସକାଳ ୬ଟାରୁ ଆନ୍ଦୋଳନକୁ ଓହ୍ଲାଇ ଜଳ ସେଚନ ଦାବିରେ ରାଜ ରାସ୍ତାରେ ଗର୍ଜିଛନ୍ତି। ଆଇନ ଶୃଂଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ମନୋଜ କୁମାର ବେହେରା, କୋକସରା ଥାନା ଅଧିକାରିଣୀ ସିଗ୍ଧାରାଣୀ ସୁନାଙ୍କ ନେତୃତ୍ବରେ ପୁଲିସ ଫୋର୍ସ ଆନ୍ଦୋଳନ ସ୍ଥଳରେ ମୁତୟନ ହୋଇଥିଲେ। ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ, ଜୟପାଟଣା ବିଡ଼ିଓ ଧର୍ମରାଜ ମାଝୀ, ଜୟପାଟଣା ତହସିଲଦାର ରଘୁନାଥ ମୁଣ୍ଡାରୀ, କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ପ୍ରମୁଖ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଚାଷୀମାନେ ନିଜ ଜିଦ୍ ରେ ଅଟଳ ରହିଥିବାରୁ ପ୍ରଶାସନ ଆଲୋଚନାରେ ବିଫଳ ହୋଇଥିଲେ। ଅନ୍ୟପଟେ ଚାଷୀ ମାନଙ୍କ ଆନ୍ଦୋଳନକୁ ଇନ୍ଦ୍ରାବତୀ ମେଗା ଲିଫ୍ଟ କର୍ତ୍ତୃପକ୍ଷ ଓ ପ୍ରଶାସନ ଭଣ୍ଡୁର କରିବା ପାଇଁ ବିଭିନ୍ନ ଯୋଜନା କରିଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଦିର୍ଘ ସମୟ ପରେ ଆନ୍ଦୋଳନ ସ୍ଥଳରେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଘଟଣାସ୍ଥଳରେ ପହଞ୍ଚିଥିଲେ । ଚଳିତବର୍ଷ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଗତ ବର୍ଷଠାରୁ ୧୮ ପ୍ରତିଶତ କମ୍ ଜଳସ୍ତର ରହିଥିବାରୁ ଚଳିତ ବର୍ଷ ରବି ଋତୁରେ ପାଣି ଦେବା ସମ୍ଭବ ନୁହେଁ ବୋଲି କହିବା ସହ ଆନ୍ଦୋଳନରୁ ଓହରିବା ପାଇଁ ଅନୁରୋଧ କରିଥିଲେ। ୧୨ ଘଣ୍ଟା ଆନ୍ଦୋଳନ ପରେ ଅସନ୍ତୋଷ ଚାଷୀମାନେ ରାସ୍ତା ଅବରୋଧ ହଟାଇ ଥିଲେ।