
କେସିଙ୍ଗା ତା୫.୧(ତୁମେଶ୍ୱର ସାହୁ) ଓଡିଶା ସରକାରଙ୍କ ରାଜସ୍ଵ ମନ୍ତ୍ରୀ ସୁରେଶ ପୁଝାରୀ ରାଜ୍ୟରେ ବ୍ଲକ୍ ସଂଖ୍ୟା ବଢିପାରେ ବୋଲି ସୂଚନା ପ୍ରଦାନ କରିବା ପରେ ନର୍ଲା ବ୍ଲକ୍ ଅଧିନ ପଲମ ଗ୍ରାମ ପଞ୍ଚାୟତରେ ନୂତନ ବ୍ଲକ୍ ଗଠନ ନିମନ୍ତେ ଉତ୍ସୂକତା ଦେଖାଦେଇଛି । ଭୌଗଳିକ ଦୃଷ୍ଟିକୋଣରୁ ପଲମରେ ନୂତନ ବ୍ଲକ୍ ଗଠନ ନିମନ୍ତେ ପଡୋଶୀ ଗ୍ରାମ ପଞ୍ଚାୟତ ଯଥା:- ଯୋରାଡବରା, ସାପଲହରା, ରେଗଡା ଏବଂ କେସିଙ୍ଗା ବ୍ଲକର ହାତୀଖୋଜ, ବେଲଖଣ୍ଡି , ସିର୍ଜାପାଲି , ତୁଣ୍ଡଲା , ତୁର୍ଲାଖମନ, ନୁନମାଠ୍ ଗ୍ରାମ ପଞ୍ଚାୟତକୁ ମିଶ୍ରଣ କରିବା ସହ, ନର୍ଲା ବ୍ଲକ ଅଧୀନରେ ଥିବା ମୁଡିଙ୍ଗ୍, ଟକର୍ଲା, ଗିଗିନା, ଘୋଡାବନ୍ଧ ଓ ମୁସ୍କୁଟି ଗ୍ରାମ ପଞ୍ଚାୟତ ଗୁଡିକୁ ନେଇ ନୂତନ ବ୍ଲକ୍ ଗଠନ ପାଇଁ ସମସ୍ତ ଗ୍ରାମବାସୀଙ୍କ ସହଯୋଗ ନିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ପଲମ ଗ୍ରାମ ପଞ୍ଚାୟତର ସରପଞ୍ଚ ହେମ କିଶୋର ନାଗଙ୍କ ସଭାପତିତ୍ଵରେ ଆୟୋଜିତ ବୈଠକ ରେ ପୂର୍ବତନ ସରପଞ୍ଚ ମହେନ୍ଦ୍ର କୁମାର ଭୋଇ, ସମିତି ସଭ୍ୟ ଭକ୍ତି ନାଗ, ପୂର୍ବତନ ପ୍ରଧାନ ଶିକ୍ଷକ ଇଶ୍ଵର ଚନ୍ଦ୍ର ମାଝୀ, ପୂର୍ବତନ ସମିତି ସଭ୍ୟ ପୁରନ୍ଦର ସାହୁ, ସାମ୍ବାଦିକ ଉମାଶଙ୍କର ମିଶ୍ର, ୱାର୍ଡ ମେମ୍ବରଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଦୀର୍ଘ ୩୫ବର୍ଷ ପୂର୍ବରୁ ପଲମରେ ନୂତନ ବ୍ଲକ୍ ଗଠନ ପାଇଁ ଓଡିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ କିରଣ ଚନ୍ଦ୍ର ସିଂଦେଓଙ୍କ ତତ୍ତ୍ଵାବଧାନରେ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ସାକ୍ଷାତ କରି ପଲମରେ ନୂତନ ବ୍ଲକ୍ ଗଠନ ନେଇ ଅଞ୍ଚଳବାସୀଙ୍କ ଦାବିପତ୍ର ପ୍ରଦାନ କରିଥିଲେ । ସେହି ସମୟରେ ମୂଖ୍ୟମନ୍ତ୍ରୀ ଥିବା ସ୍ଵର୍ଗତ ବିଜୁ ପଟ୍ଟନାୟକ ସମ୍ମତି ପ୍ରଦାନ କରିଥିଲେ ହେଁ ବ୍ଲକ୍ ପୁନର୍ଗଠନ ପ୍ରକ୍ରିୟା କୌଣସି କାରଣ ବଶତଃ ହୋଇପାରିନଥିଲା । ନର୍ଲା ଓ କେସିଙ୍ଗା ବ୍ଲକର କେତେକ ଗ୍ରାମ ପଞ୍ଚାୟତ ଦୂର ହେଉଥିବାରୁ ଅଞ୍ଚଳରେ ଥିବା ବୃଦ୍ଧବୃଦ୍ଧାଙ୍କ ବିଭିନ୍ନ ସମସ୍ୟା ପ୍ରଶାସନର ଦୃଷ୍ଟି ଗୋଚର ହୋଇପାରୁନାହିଁ। ତେଣୁ ପଲମ ଗ୍ରାମ ପଞ୍ଚାୟତରେ ନୂତନ ଏକ ବ୍ଲକ ଗଠନ ହେଲେ ଆଖପାଖ ଅଞ୍ଚଳର ସମସ୍ୟା ଦୂର ହୋଇପାରିବ ବୋଲି ଆଜିକାର ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏବେ ରାଜ୍ୟରେ ଥିବା ବିଜେପି ସରକାର ଏଥିପ୍ରତି ଦୃଷ୍ଟିଦେଇ ପଲମକୁ ନୂତନ ବ୍ଲକ୍ ଘୋଷଣା କରିବାକୁ ଅଞ୍ଚଳବାସୀ ଉପସ୍ଥାପନ କରିଛନ୍ତି ।