
କଲମପୁର- ୭|୧(ଗଣେଶରାମ ବାଗ ) କଳାହାଣ୍ଡି ଜିଲ୍ଲା ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ବାଣିଜ୍ୟ ବିଭାଗ ପ୍ରଥମ ବର୍ଷର ଛାତ୍ରୀ ତୋଫାଲି ନାଏକ ଇନ୍ଦ୍ରାବତୀ ଛାତ୍ରୀ ନିବାସରେ ଗତ ଡିସେମ୍ବର ୧୯ ତାରିଖ ଦିନ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏ ବିଷୟରେ ଅଲ ଓଡିଶା ସିଡୁଲ କାଷ୍ଟ ଫେଡରେସନ୍ ପକ୍ଷରୁ ସ୍ଥାନୀୟ ଓରିଅନ୍ ହୋଟେଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ପରିବାର ଲୋକଙ୍କ ଅଭିଯୋଗ ଏବଂ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା କଥା ସହ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ, ଯାହା ଜଣାପଡୁଥିଲା ଏହା ହତ୍ୟାକାଣ୍ଡ ହୋଇଥାଇପାରେ ! ଏକ ମୋବାଇଲ ଚୋରି ଘଟଣାକୁ ନେଇ ହଷ୍ଟେଲ ଭିତରେ ସର୍ବସମ୍ମୁଖରେ ତୋଫାଲିଙ୍କୁ ଅତ୍ୟନ୍ତ ଅପମାନ କରାଯାଇଥିବା ଦୃଷ୍ଟିରୁ ନାବାଳିକା ଝିଅ ମୃତ୍ୟୁର ବାଟ ବାଛି ନେଇଥାଇପାରେ ବୋଲି ସଂଗଠନର ସଭାପତି ଧନଞ୍ଜୟ ଦୀପ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସମ୍ବୁଖରେ ପ୍ରକାଶ କରିଥିଲେ। ଗତ ଜାନୁଆରୀ ୪ ତାରିଖ ଦିନ ଝିଅର ପରିବାର ପୋଲିସର ଉପସ୍ଥିତରେ ହଷ୍ଟେଲରୁ ଝିଅର ବ୍ୟବହାର କରୁଥିବା ସବୁ ଜିନିଷ ପତ୍ର ଘରକୁ ନେଇ ଯାଇଥିଲେ। ଝିଅର ମୋବାଇଲ କଭର ଭିତରେ ଏକ ଲେଖା ବାହାରିଥିଲା, ସେଥିରେ ସେ ଝିଅ ତା’ର ସାନ ଭଉଣୀକୁ ଲେଖିଛି ମୋତେ ଦୁଇଟି ଝିଅ ମାରି ଦେବାକୁ ପ୍ଲାନ୍ କରୁଛନ୍ତି। ଏଣୁ ଏହି ଲେଖାରୁ ପ୍ରମାଣିତ ହେଉଛି ଯେ ଝିଅକୁ ମାରି ଦିଆଯାଇଛି । ହେଲେ ମୃତ୍ୟୁର ଆଜକୁ ୧୮ ଦିନ ହେଲା ପରେ ବି ମୃତ୍ୟୁର ରହସ୍ଯ ପୋଲିସ ଉନ୍ମୋଚନ କରି ପାରିନଥିବା ଚିନ୍ତାର ବିଷୟ । ଝିଅକୁ ମାରି ଦିଆଯାଇଥାଉ କିମ୍ବା ମରିବା ପାଇଁ ଉସକା ଯାଇଥାଉ ଯାହା ହେଲେ ବି ଦୋଷୀ ଅପରାଧୀ ଅଟେ । ଏହି ଘଟଣାରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଓ ହଷ୍ଟେଲ ଓ୍ବାର୍ଡେନ୍ ଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଗୋଟିଏ ଝିଅର ଜୀବନ ଗଲା। କିନ୍ତୁ ତାଙ୍କ ଉପରେ ଆଜି ପର୍ଯ୍ୟନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏହି ବିଷୟକୁ ଆହୁରି ଅଧିକ ସନ୍ଦେହ ଘେରକୁ ନେଇଯାଉଛି । ଏଣୁ ଅଲ୍ ଓଡ଼ିଶା ସିଡୁଲ କାଷ୍ଟ ଫେଡରେସନ ତରଫରୁ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଓଡିଶାର ମୁଖ୍ୟମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଏହି ଘଟଣା ଉପରେ ହସ୍ତକ୍ଷେପ କରି ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନେବା ପାଇଁ ଅନୁରୋଧ କରିବା ସହ ଦାବୀ କରୁଛୁ । ଉଚିତ୍ ନ୍ୟାୟ ନ ମିଳିଲେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ସଂଘ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଧନଞ୍ଜୟ ଦୀପ୍, ଉପଦେଷ୍ଟା ଶତ୍ରୁଘ୍ନ ନାଏକ, ଧନଞ୍ଜୟ ଖମାରୀ, ଭଗବାନ ନାଏକ,, ରୋହିତ ଛତ୍ରୀଆ, ସୁନ୍ଦର ଲାଲ କୁମାର, ସତ୍ୟନାରାୟଣ ବୈଶଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।