
କେସିଙ୍ଗା-୮/୧ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲା ମଧ୍ୟ ସ୍ଥଳୀ ତଥା ତେଲନଦୀର ମହଦା ବାଲିଘାଟରୁ ପ୍ରତ୍ୟେହ ଜେସିବି ମେସିନ ଓ ହାଇଓ୍ବା ଯୋଗେ ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କେବଳ ଦେଖଣାହାରୀ ସାଜିଛନ୍ତି । ଗତ ଦୁଇ ଦିନ ତଳେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ଲଘୁ ଖଣିଜ ଦ୍ରବ୍ୟ ଉପରେ ରିଭ୍ୟୁ କରିଥିଲେ। ରିଭ୍ୟୁ ସମୟରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ହାଇକୋର୍ଟଙ୍କ ଆଦେଶ ଅନୁସାରେ ସକାଳ ୭ ଠାରୁ ରାତ୍ର ୯ ଟା ଯାଏ ବାଲି ଉଠାଣ ହୋଇପାରିବ ନାହିଁ। କିନ୍ତୁ ବାଲି ମାଫିଆ ମାନେ ହାଇକୋର୍ଟଙ୍କ ଆଦେଶକୁ ବେଖାତିରି କରି ଖୁଲମଖୁଲା ଦିନରାତି ହାଇଓ୍ବା ଯୋଗେ କେସିଙ୍ଗା ସହର ମଧ୍ୟରେ ବାଲି ଚାଲାଣ କରୁଥିବା ବେଳେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଅଧିକାରୀମାନେ ଧୂତରାଷ୍ଟ୍ର ସାଜିଛନ୍ତି। ସେହିପରି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ବାଲି ଲିଜଧାରୀମାନେ କେତେ ପରିମାଣରେ ବାଲି ଉଠାଣ କରିବେ ତାହା ନିର୍ଦ୍ଧାରଣ କରିବା ସହ ଟ୍ରାଞ୍ଜିଟ୍ ନଥିବା ଗାଡିଗୁଡିକୁ ଧରପଗଡ କରିବେ ବୋଲି ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଓଭର ଲୋଡିଂ ଗାଡିଗୁଡିକୁ ଧରିବା ଲାଗି ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପରିବହନ ଅଧିକାରୀଙ୍କୁ ମଧ୍ୟ କହିଥିଲେ। ଅନ୍ୟପକ୍ଷେ ବାଲି ମାଫିଆମାନେ କିଛିଦିନ ତଳେ ଖଣି ଉପନିର୍ଦେଶକଙ୍କ ଉପରେ ଆକ୍ରମଣ କରିଥିବାରୁ ପ୍ରଶାସନିକ ଅଧିକାରୀମାନେ ‘ଜୀବନ ଥିଲେ ଜୀବିକା ଅଛି’ ନୀତିରେ ଏମାନଙ୍କୁ ଧରପଗଡ କରିବା ପାଇଁ ଭୟ କରୁଛନ୍ତି। ଅପରପକ୍ଷରେ ଖଣି ଉପନିର୍ଦେଶକ ତାଙ୍କ ଉପରେ ଆକ୍ରମଣ ହୋଇଥିବା ବିଷୟରେ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜ୍ଜୁ କରି ଆଜି ପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ତେବେ ମନ୍ତ୍ରୀଙ୍କ ଦୃଢୋକ୍ତି କେବଳ ଲୋକ ଦେଖାଣିଆ ଥିଲା ନା ଆନ୍ତରିକତା ଥିଲା ବୋଲି ସାଧାରଣରେ ଆଲୋଚନା ହେଉଛି। ଲୋକେ ଆହୁରି ମଧ୍ୟ କୁହାକୁହି ହେଉଛନ୍ତି ମନ୍ତ୍ରୀ ରିଭ୍ୟୁ ପାଇଁ ଆସିଥିଲେ ନା ଆଟାଚ୍ ନେବା ପାଇଁ ଆସିଥିଲେ ?