
ଭବାନୀପାଟଣା-୨୪/୨ କଳାହାଣ୍ଡି ଜିଲ୍ଲାସ୍ତରୀୟ ବାଳିକା ଦିବସ ୨୦୨୫ ଏବଂ ବେଟି ବଚାଓ ବେଟି ପଢାଓ ଯୋଜନାର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ବ୍ରଜ ମୋହନ ହାଇସ୍କୁଲର ସେଣ୍ଟିନାରୀ କକ୍ଷରେ ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଯୋଗ ଦେଇ କନ୍ୟା ସନ୍ତାନ ମାନଙ୍କ ଶିକ୍ଷା ଉପରେ ଗୁରୁତ୍ବ ଦେଇ ଲିଙ୍ଗଗତ ବୈଷମ୍ୟତା ଦୂରୀକରଣ, ମହିଳା ମାନଙ୍କ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ସମ୍ପର୍କରେ ମତ ପୋଷଣ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଦୟାମୟ ପାଢ଼ୀ, ଭାରପ୍ରାପ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ. ନିହାରେନ୍ଦ୍ର ପଣ୍ଡା, ଅଧ୍ୟକ୍ଷ ଜିଲ୍ଲା ଶିଶୁ ମଙ୍ଗଳ କମିଟୀ ରୁପେଶ ହୋତା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ୍ ନିଶା, ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର, ଶିକ୍ଷା ବିଭାଗର ଡିପିଇଓ ରୂପସିଂ ରାଉତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ମହିଳା ଓ ଶିଶୁ ବିକାଶ ବିଭାଗର ସୁରକ୍ଷା ଅଧିକାରୀ ସୁଚରିତା ମହାପାତ୍ର ପ୍ରମୁଖ ଯୋଗଦେଇ କନ୍ୟା ସନ୍ତାନ ମାନଙ୍କ ଶିକ୍ଷା, କନ୍ୟାଭୃଣ ହତ୍ୟା, ବାଲ୍ୟ ବିବାହ ନିରାକରଣ, ମହିଳା ମାନଙ୍କ ସମାଜ ଗଠନ ତଥା ରାଷ୍ଟ୍ର ଗଠନରେ ରହିଥିବା ଭୂମିକା ସମ୍ପର୍କରେ ନିଜର ଆଭିମୁଖ୍ୟ ପ୍ରକାଶ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ଯେ, ଭାରତ ସରକାରଙ୍କ ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନ ୨୦୧୫ ମସିହାରେ ଆରମ୍ଭ ହୋଇ ଆଜି ତାର ୧୦ ବର୍ଷ ପୂର୍ତ୍ତି କରିଛି। ଏହି ଉପଲକ୍ଷେ ୨୪ ଜାନୁଆରୀ ୨୫ ଠାରୁ ଏକମାସ ବ୍ୟାପୀ ସଚେତନତା ଅଭିଯାନ ଜିଲ୍ଲାର ବିଭିନ୍ନ ସ୍ତରରେ ଆୟୋଜନ କରାଯିବ ଓ ଆସନ୍ତା ୦୮.୦୩.୨୦୨୫ ଆନ୍ତର୍ଜାତିକ ମହିଳା ଦିବସ ଦିନ ସମାପନ ହେବ । ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫ ଜଣ କୃତି ଛାତ୍ରୀଙ୍କୁ ବିଭିନ୍ନ ବିଭାଗରେ ରାଜ୍ୟ ତଥା ଜାତୀୟ ସ୍ତରରେ ସେମାନଙ୍କ କୃତିତ୍ୱ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଲିପ୍ସାରାଣୀ ବାଗ, ରଚନା ମାଝୀ, ପୂନମ ନାଏକ, ନୟୀ ଶବର, ପ୍ରତ୍ୟୁଷା ମହନା ପ୍ରମୁଖ ରହିଥିଲେ। କାର୍ଯକ୍ରମରେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଗଣ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ସଦସ୍ୟ ଓ ସଦସ୍ୟା, କିଶୋର ନ୍ୟାୟ ବୋର୍ଡର ସଦସ୍ୟା ବୃନ୍ଦ, କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ, ୱାନ ଷ୍ଟପ୍ କେନ୍ଦ୍ରର ମୁଖ୍ୟ ତଥା ଅନ୍ୟ କର୍ମକର୍ତ୍ତା, ଶିଶୁ ଯତ୍ନ ଅନୁଷ୍ଠାନର କୁନୁ କୁନି ଝିଅମାନେ, ବିଭିନ୍ନ ସ୍କୁଲର ଛାତ୍ରୀମାନେ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଆଦ୍ଵିକା ଗ୍ରୁପ ର ଝିଅମାନେ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଏବଂ ସମାଜ କଲ୍ୟାଣ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଶିଶୁଯତ୍ନ ଅନୁଷ୍ଠାନର ବାଳିକା ମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। ସଭା ଆରମ୍ଭରେ ଜିଲ୍ଲାପାଳଙ୍କ ଦ୍ଵାରା ଉପସ୍ଥିତ ପ୍ରତିଭାଗୀମାନଙ୍କୁ ଶପଥ ପାଠ କରାଯାଇଥିଲା। କାର୍ଯକ୍ରମକୁ ପରିଚାଳନା କରିଥିଲେ ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଶ୍ରୀ ଅଂଶୁମାନ ବାବୁ, ସ୍ବାଗତ ଭାଷଣ ଦେଇଥିଲେ ସମାଜ କଲ୍ୟାଣ ବିଭାଗର ସୁରକ୍ଷା ଅଧିକାରୀ ଶ୍ରୀମତୀ ସୁଚରିତା ମହାପାତ୍ର ଏବଂ ଧନ୍ୟବାଦ ଅର୍ପଣ କରିଥିଲେ। ପୋଷଣ ଅଭିଯାନର ଜିଲ୍ଲା ସଂଯୋଜକ ଶ୍ରୀ ଅଜୟ ବିହାର। ପ୍ରକାଶ ଥାଉକି, ଏହି ଅବସରରେ ସକାଳ ୧୦ ଘଣ୍ଟା ସମୟରେ ଜିଲ୍ପାପାଳଙ୍କ କାର୍ଯ୍ୟାଳୟ ଠାରୁ ବ୍ରଜ ମୋହନ ହାଇସ୍କୁଲ ପର୍ଯ୍ୟନ୍ତ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ଏହାକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ)ବଇତୁରା ଦୀପ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।