
ଭବାନୀପାଟଣା-୧୨/୨ କଳାହାଣ୍ଡି ଜିଲ୍ଲାର ସଦରମହକୁମା ଭବାନୀପାଟଣା ପୌରପାଳିକା ୨୦ ଓ୍ବାର୍ଡ ବିଶିଷ୍ଟ ହୋଇଥିବା ବେଳେ ପ୍ରାୟ ୭୦ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି ।ସହରର ସ୍ବଚ୍ଛତା ଏବଂ ବିକାଶ ଦାୟିତ୍ୱରେ ଥିବା ପୌରପାଳିକା ରେ ଅବହେଳା ଆଉ ଦୁର୍ନୀତି ଲାଗିରହିଛି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଭେଣ୍ଡିଙ୍ଗ ଜୋନ୍ ଗୁଡିକର କେବିନ୍ ଷ୍ଟଲ, ନକଟିଗୁଡା, ବାଳିକା ମହାବିଦ୍ୟାଳୟ , ହସ୍ପିଟାଲ ଛକ, ଆଇନ ମହାବିଦ୍ୟାଳୟ ଛକ ଠାରେ ଧାଡ଼ି ଧାଡ଼ି ହୋଇରହିଛି ଟିଣ କେବିନ୍। ୧୦୦ ରୁ ଉର୍ଦ୍ଧ୍ବ କେବିନ୍ ଗୁଡ଼ିକରେ ବର୍ଷ ବର୍ଷ ଧରି ତାଲା ପଡ଼ିରହିଛି। ଭଙ୍ଗା ଦଦରା ଅବସ୍ଥାରେ କେବିନ୍ କଳଙ୍କି ଲାଗିବା ସହ ଖତ ଖାଇଲାଣି। ରାସ୍ତାକଡ଼ରେ ଦୋକାନୀମାନେ ଦୋକାନ ଖୋଲୁଥବାରୁ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି। ହେଲେ କେବିନ୍ ଗୁଡିକରେ ତାଲା ଝୁଲିବା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲୋକଙ୍କ ରାଜସ୍ବ ଅର୍ଥରେ ଛୋଟ ଛୋଟ ବ୍ୟବସାୟୀଙ୍କ ସ୍ବାର୍ଥ ପାଇଁ ନିର୍ମିତ ଭେଣ୍ଡିଙ୍ଗ ଜୋନ୍, ସେମାନଙ୍କ କାମରେ ଆସୁନାହିଁ। ହେଲେ ସେସବୁ ଖତ ଖାଉଛି। ଯେଉଁ ବ୍ୟବସାୟୀ ମାନେ ବର୍ଷ ବର୍ଷ ଧରି ରାସ୍ତା କଡରେ ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ପ୍ରତିଶ୍ରୁତି ଦେଇ ପୌରପାଳିକା ଠକୁଛନ୍ତି। ଅନ୍ୟପକ୍ଷରେ ବଡବଡିଆଙ୍କୁ କେବିନ୍ ଦେଇ ଉଠା ଦୋକାନୀଙ୍କୁ ଅଣଦେଖା କରାଯାଉଛି। ସେହିଭଳି ସହରର କଲେଜ୍ ଛକରେ ଶୌଚାଳୟ ବ୍ୟବସ୍ଥା ନାହିଁ। ଅନ୍ୟପଟେ ସର୍କିଟ ହାଉସ୍, ନକଟିଗୁଡା ସମେତ ବିଭିନ୍ନ ସ୍ଥାନରେ ନିର୍ମିତ ଗୋଷ୍ଠୀ ଶୌଚାଳୟ ଆରମ୍ଭରୁ ହିଁ ତାଲା ଝୁଲୁଛି। କେବେହେଲେ ଉକ୍ତ ଶୌଚାଳୟ ସାଧାରଣ ଲୋକଙ୍କ କାମରେ ଆସୁନାହିଁ। ଶୌଚ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଶୌଚାଳୟ କାହିଁକି ଖୋଲାଯାଉ ନାହିଁ ତାହା ମଧ୍ୟ ବଡ଼ ପ୍ରଶ୍ନ। ଶୌଚାଳୟ କାର୍ଯ୍ୟରେ ଆସୁନାହିଁ। କିନ୍ତୁ ଅନ୍ୟପଟେ ପୁନଃ ମରାମତି କାର୍ଯ୍ୟ ହେଉଛି। କେବଳ ଠିକାଦାର ପୋଷା ନିତୀରେ ଦୁର୍ନୀତି ଆଉ ଦୁର୍ନୀତି ଚାଲିଛି। ସାଧାରଣ ଲୋକଙ୍କ ସ୍ବାର୍ଥରେ ତିଆରି ଭେଣ୍ଡିଙ୍ଗ ଜୋନ୍, ଗୋଷ୍ଠୀ ଶୌଚାଳୟ ଖତ ଖାଉଛି। ପୁର୍ବତନ ବିଜେଡି ପୌରାଧକ୍ଷା ଙ୍କ ଠିକାଦାର ପ୍ରୀତି ଯୋଗୁଁ ଆଜି ମଧ୍ୟ ଲୋକେ ହଇରାଣ ହେଉଛନ୍ତି।