
କେସିଙ୍ଗା- ଆଜି ପ୍ରାୟ ଅପରାହ୍ନ ୨ ଟା ସମୟରେ ସ୍ଥାନୀୟ ପୁରୁଣା ହୋଣ୍ଡା ସୋରୁମ୍ ପାଖରେ ଜଣେ ବାଇକ୍ ଆରୋହୀ ଯୁବକର ପଛପଟୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଉକ୍ତ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ କେସିଙ୍ଗା ଗୌନ୍ତିଆ ପଡ଼ାର ମୁକେଶ ଷଣ୍ଢ ନାମକ ଯୁବକ ନିଜ ବାଇକ୍ ରେ କେସିଙ୍ଗା – ବୋରିଙ୍ଗପଦର ଆଡ଼କୁ ଯାଉଥିବା ବେଳେ ପଛପଟୁ ଓଆର ଟ୍ରକ୍ ୧୯ ଏନ୍ ୪୭୦୩ ନମ୍ବର ର ଏକ ଟ୍ରକ୍ ଧକ୍କା ଦେବା ଯୋଗୁଁ ଶ୍ରୀ ଷଣ୍ଢ ତଳେ ପଡି ଯାଇଥିଲେ। କିନ୍ତୁ ଟ୍ରକ୍ ଡ୍ରାଇଭର ପ୍ରାଣ ଭୟରେ ପଳାଇ ଯିବାରୁ ଶ୍ରୀ ଷଣ୍ଢଙ୍କ ମୁଣ୍ଡ ଉପରେ ଟ୍ରକ୍ ଚଢ଼ି ଯିବା ଯୋଗୁଁ ଯୁବକର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏହାପରେ ପଡ଼ାର ଯୁବକମାନେ ଆସି ଶବକୁ ଆଣି ପଡ଼ାର ଛକ ରାସ୍ତା ଊପରେ ରଖି କ୍ଷତିପୂରଣ ଦାବି କରିଥିଲେ। ଅନ୍ୟପକ୍ଷରେ ପୋଲିସ ଘଟଣାସ୍ଥଳକୁ ଯାଉଥିବା ବେଳେ ରାସ୍ତା ଅବରୋଧକାରୀ ମାନେ ପୋଲିସକୁ ଛାଡିନଥିଲେ। ତେବେ ଆନ୍ଦୋଳନକାରୀ ଓ ଟ୍ରକ୍ ମାଲିକ ମଧ୍ୟରେ ବୁଝାମଣା ସହିତ ରେଡକ୍ରସ୍ ଫଣ୍ଡରୁ ୧୦ ହଜାର ଟଙ୍କା ଏବଂ ଇନ୍ସୁରାନ୍ସ ଟଙ୍କା ପାଇବା ଲାଗି ସ୍ଥିର ହେଲା ପରେ ରାସ୍ତାରୋକ ହଟିଥିଲା। ଏହାପରେ ପୋଲିସ ଶବକୁ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ନେଇଥିଲେ।