
କେସିଙ୍ଗା-୧୬/୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସଚେତନ ନାଗରିକ ମଞ୍ଚର ୧୦ ବର୍ଷ ପୂର୍ତ୍ତି ଅବସରରେ ମଞ୍ଚ ତରଫରୁ ଅଞ୍ଚଳର ବିକାଶ ନିମନ୍ତେ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଏକ ସ୍ବତନ୍ତ୍ର ମାର୍ଗଦର୍ଶକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ମଞ୍ଚର କର୍ମକର୍ତ୍ତା, ସହର ତଥା ଗ୍ରାମାଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତଥା ବୁଦ୍ଧିଜୀବୀ ଓ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇ ନିଜର ମୂଲ୍ୟବାନ ମତାମତ ରଖିଥିଲେ। ସାଧାରଣତଃ ଏହି ଆଲୋଚନା ଚକ୍ରରେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ପାଇଁ ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କ ପରାମର୍ଶ ନିଆଯାଇଥିଲା। ଏଥିରେ କୋଣାର୍କ ସୂତାକଳ, ରେଲୱେ, ବାଇପାସ୍ ରାସ୍ତା, ସରକାରୀ ମେଡ଼ିକାଲକୁ ଉପଖଣ୍ଡୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା, କେସିଙ୍ଗା ଏନ୍ଏସିକୁ ପୌରପାଳିକାରେ ପରିବର୍ତ୍ତନ କରିବା ଆଦି ବିଭିନ୍ନ ଦାବି ନେଇ ଆଲୋଚନା ହୋଇଥିଲା ବେଳେ ଦଳମତ ନିର୍ବିଶେଷରେ ବିଶେଷ ଗୁରୁତ୍ବାରୋପ କରି ପୁନଃ କେସିଙ୍ଗା ବିଧାନସଭା ଆସନ ପାଇଁ ଦାବି ଉତ୍ଥାପନ ହୋଇଥିଲା। ଯଦି ସରକାର କେସିଙ୍ଗା ବିଧାନସଭା ଆସନ ପାଇଁ ରାଜି ନ ହୁଅନ୍ତି ତେବେ ଅଞ୍ଚଳର ସମସ୍ତ ସାମାଜିକ ସଂଗଠନ ଏକଜୁଟ ହୋଇ ସଚେତନ ନାଗରିକ ମଞ୍ଚ ବ୍ୟାନରରେ ତୀବ୍ର ଆନ୍ଦୋଳନ ପାଇଁ ମତ ପ୍ରକାଶ ପାଇଥିଲା। ମଞ୍ଚର ସଭାପତି ଉତ୍ତର ମହଲା ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ମଞ୍ଚର ସାଧାରଣ ସଂପାଦକ ଟିକେମନ ଦୀପ ଆଲୋଚନା ଚକ୍ର ପରିଚାଳନା କରିଥିଲେ। ପୂର୍ବତନ ଏନ୍ଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା।