କଳାହାଣ୍ଡି ଜିଲ୍ଲାରେ ବୃହତ ନିଯୁକ୍ତି ମେଳା ଅନୁଷ୍ଠିତ

ଭବାନୀପାଟଣା- ୨୧/୨ ଆଜି ସ୍ଥାନୀୟ ସି ଟି ସ୍କୂଲ ପ୍ରାଙ୍ଗଣ ଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ କଳାହାଣ୍ଡି ତରଫରୁ ଜିଲ୍ଲାସ୍ତରୀୟ ବୃହତ ନିଯୁକ୍ତି ମେଳା ଜିଲ୍ଲାପାଳଙ୍କ ଦ୍ବାରା ଉଦ୍ଘାଟିତ ହେଇଯାଇଛି । ଏହି ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ୪୦ ଗୋଟି ନିଯୁକ୍ତି ଦାତା ସଂସ୍ଥା ଯୋଗ ଦେଇଥିଲେ। ଏହା ବ୍ୟତୀତ ୧୨ ଗୋଟି ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା, CTTC , ସରକାରୀ ITI ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼, ସରକାରୀ ପଲିଟେକ୍ନିକ କଳାହାଣ୍ଡି, ଜନ ଶିକ୍ଷଣ ସଂସ୍ଥାନ, ବିଶ୍ୱ ଦକ୍ଷତା କେନ୍ଦ୍ର, ଭୁବନେଶ୍ୱର, ଆଦି ଯୋଗ ଦେଇଥିଲେ। ଭାରତୀୟ ସେନା ଓ ଭାରତୀୟ ବାୟୁସେନା ଅଧିକାରୀମାନେ ମଧ୍ୟ ମେଳାରେ ଯୋଗ ଦେଇ ପିଲାମାନଙ୍କୁ ଅଗ୍ନିବୀର ଓ ଅଗ୍ନିବୀର ବାୟୁସେନା ରେ ଯୋଗ ଦେବା ପାଇଁ ପ୍ରୋତ୍ସାହିତ କରିଥିଲେ। ଏହି ମେଳା ରେ ଜିଲ୍ଲା ର ସମସ୍ତ ୧୩ ଟି ବ୍ଲକ ରୁ ୧୮୬୭ ଜଣ ନିଯୁକ୍ତି ଆଶାୟୀ ପ୍ରାଥୀ/ ପ୍ରାର୍ଥୀନୀ ମାନେ ଯୋଗ ଦେଇଥିଲେ । ସେଥିମଧ୍ୟରୁ ୬୮୨ ଜଣ ବିଭିନ୍ନ ନିଯୁକ୍ତି ସଂସ୍ଥା ଓ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ସହିତ ଅନୁବନ୍ଧିତ ହୋଇଥିଲେ। ଜିଲ୍ଲାପାଳ ପିଲାମାନଙ୍କୁ ଏହି ସୁଯୋଗର ଭରପୁର ଫାଇଦା ନେବାପାଇଁ ଉପଦେଶ ଦେଇଥିଲେ ଓ ବିଭିନ୍ନ ଦକ୍ଷତା ବିକାଶ ତାଲିମ ନେଇ ରୋଜଗାର କ୍ଷମ ହେବା ପାଇଁ ପରାମର୍ଶ ଦେଇଥିଲେ। ଏହି ମେଳାକୁ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ ପରିଚାଳନା କରିଥିଲେ ଓ ଜିଲ୍ଲା ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟର ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସୁବିଦିତ ସାମନ୍ତରାୟ, ସୁବ୍ରତ ମେହେର, ପ୍ରିୟା, କେଶବ ଗାଭାଲେ ଓ ସମସ୍ତ କର୍ମକର୍ତ୍ତା ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *