ଭବାନୀପାଟଣା-୨୪/୨ ଲାଞ୍ଜିଗଡ଼ ସ୍ଥିତ ନିୟମଗିରି ପାହଡ଼ରୁ ବକ୍ସାଇଟ ଖଣି ଖନନ କରି ଆଲୁମିନିୟମ ରିଫାଇନାରୀ କାରଖାନା ସ୍ଥାପନ ପାଇଁ ବେଦାନ୍ତ କମ୍ପାନୀ ୨୦୦୩ ମସିହାରୁ ପ୍ରଚେଷ୍ଟା କରିଥିଲା। ତେବେ ଏହାକୁ କେତେକ ପରିବେଶବିତ୍ ଏବଂ ରାଜନେତାମାନେ ନିୟମଗିରି ପାହଡ଼ରୁ ଖଣି ଖନନ କରାଇ ନ ଦେବାରେ ସଫଳ ହୋଇଥିଲେ। ତଥାପି କମ୍ପାନୀ ରାଜ୍ଯ ବାହାରୁ କଞ୍ଚାମାଲ ଆଣି କାରଖାନାକୁ ଚଳାଇ ଆସୁଛି। ଏହି କାରଖାନାରୁ ନିର୍ଗତ ବିଷାକ୍ତ କଷ୍ଟିକ ରାସାୟନିକ ତରଳ ପଦାର୍ଥ ମିଶିବା କାରଣରୁ ନଦୀ ଓ ଝରଣାରେ ପାଣି ବିଷାକ୍ତ ହେଉଛି। ଏହି ଜଳରେ ଅଞ୍ଚଳ ଲୋକେ ଗାଧୋଇ ଚର୍ମ ରୋଗର ଶିକାର ହୋଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅନେକ ରାଜନେତା ଓ ପ୍ରଭାବିତ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି। ନଦୀ ନାଳ ପାହଡ଼ ଓ ଜଙ୍ଗଲ ଘେରା କଳାହାଣ୍ଡି ଜିଲ୍ଲା ତାର ପ୍ରକୃତିର ସୌନ୍ଦର୍ଯ ଯୋଗୁଁ ବିଶ୍ୱରେ ପରିଚିତ। ଏହି ଜିଲ୍ଲାର ପାଣି, ଖଣି ପ୍ରତି ବିଭିନ୍ନ କମ୍ପାନୀ ର ଲୋଲୁପ ଦୃଷ୍ଟି ପଡିଛି। ସେହି କମ୍ପାନୀ ମାନଙ୍କ ମଧ୍ୟରେ ବେଦାନ୍ତ, ଆଦିତ୍ୟ ବିର୍ଲା, ମୈତ୍ରୀ ଭଳି ଅନେକ କମ୍ପାନୀ ଏବେ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବଫଳାମାଳି ଖଣି ଉପରେ ଲୋଲୁପ ଦୃଷ୍ଟି ପଡ଼ିଛି। ଆଦିତ୍ଯ ବିର୍ଲା କମ୍ପାନୀ ଲିଜ୍ ଆକାରରେ ନେଇ ମୈତ୍ରୀ କମ୍ପାନୀକୁ ଖଣି ଖନନ କରିବା ଦାୟିତ୍ବ ଦେଇଛି। ହେଲେ ସେହି ଖଣି ସମ୍ପୂର୍ଣ୍ଣ ଖନନ ସରିନଥିବା ବେଳେ ଏବେ ସିଜିମାଳି ଖଣି ଖନନ ପାଇଁ ମୈତ୍ରୀ କମ୍ପାନୀକୁ ଦେବାକୁ ଚକ୍ରାନ୍ତ ଚାଲିଛି ବୋଲି ଅଭିଯୋଗ ହେଉଛି। ସିଜିମାଳି ଖଣି ଖନନ କରାଗଲେ ପ୍ରଭାବିତ ପଞ୍ଚାୟତ ଅନ୍ତର୍ଗତ ଅନେକ ଗ୍ରାମର ଜନସାଧାରଣ ଖଣି ଖନନ କୁ ବିରୋଧ କରୁଛନ୍ତି। ସେମାନେ ପଲ୍ଲୀ ସଭା କରି ଖଣି ଖନନକୁ ବିରୋଧ କରିଥିଲେ ମଧ୍ଯ ରାୟଗଡା ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ପ୍ରଶାସନ ମିଥ୍ୟା ଜାଲ ଦସ୍ତଖତ କରି ଖଣି ଖନନ ଲାଗି ମସୁଧା କରିଛନ୍ତି ବୋଲି ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ଖଣି ଖନନ ପ୍ରଭାବିତ ଅଞ୍ଚଳର ଆଦିବାସୀ ପୁରୁଷ ଓ ମହିଳା ସିଜିମାଳି ଖଣି ଖନନ କରାଇଦେବୁ ନାହି। ଏହି ଖଣିର ବକ୍ସାଇଟ ଚାଲିଗଲେ ଏହି ଅଞ୍ଚଳର ନଦୀ ଓ ଝରଣା ଶୁଖିଯିବ, ଜଙ୍ଗଲ ପାହାଡର ସୌନ୍ଦର୍ଯ୍ଯ ନଷ୍ଟ ହୋଇ ଯିବ। ଏହି ଦୃଷ୍ଟି ରେ ଗତ ୧୦ ତାରିଖ ରେ ହଜାର ହଜାର ପ୍ରଭାବିତ ଆଦିବାସୀମାନେ ଖଣି ଖନନ କରାଇ ନ ଦେବା ନିମନ୍ତେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ଦାବୀ ପତ୍ର ପ୍ରଦାନ କରିଥିଲେ. ସେମାନେ ପୁଣି ଅଭିଯୋଗ କରିଥିଲେ ପ୍ରଶାସନ ତରଫରୁ ବଳ ପୂର୍ବକ ଆନ୍ଦୋଳନ ସ୍ଥାନକୁ ନ ଯିବାକୁ ବାଟରେ ଅଟକାଇ ଥିଲେ। ସେମାନଙ୍କ ଅଭିଯୋଗ ହେଲା ଲାଞ୍ଜିଗଡ ଅଞ୍ଚଳର ଲୋକେ ଜମି ହରାଇଲେ। କନ୍ତୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯିବ କହି ରାଜ୍ଯ ଓ ଜିଲ୍ଲା ବାହାରର ଲୋକଙ୍କୁ ନିଯୁକ୍ତି ମିଳିଲା। ଏପରିକି ସ୍ଥାନୀୟ ଲୋକେ ରୋଗୀଣା ହୋଇଗଲେ. ଏଣୁ ସିଜିମାଳି ଖନନ ହେଲେ ଆମ ଅଞ୍ଚଳରେ ବିକାଶ ବଦଳ ରେ ବିନାଶ ହେବ, ପରିବେଶ ନଷ୍ଟ ହେବ। କିନ୍ତୁ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀର ଲୋକେ ଆମ ପରିବେଶକୁ ନଷ୍ଟ କରିବାକୁ ଚକ୍ରାନ୍ତ କରୁଛନ୍ତି। ଏହି ଖଣିକୁ କମ୍ପାନୀ ହାତରେ ଟେକି ନ ଦେଇ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଭାବେ ଉନ୍ନତି କରାଗଲେ କଳାହାଣ୍ଡି ଜିଲ୍ଲା ସ୍ୱିଜରଲାଣ୍ଡ କୋଡିଆ କେନାଲ, ଦାର୍ଜିଲିଙ୍ଗ,ମଶୁରୀ ଓ କାଶ୍ମୀର ଭଳି ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୁଅନ୍ତା ଏବଂ ସରକାର କୋଟି କୋଟି ଟଙ୍କାର ରାଜସ୍ଵ ପାଇପାରନ୍ତେ। କିନ୍ତୁ ଓଲଟା ଚିନ୍ତାରେ କଳାହାଣ୍ଡି ଜିଲ୍ଲାର କାଶ୍ମୀର ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳର ଜଳ, ଜଙ୍ଗଲ ଖଣିକୁ ଖନନ କରି ପରିବେଷର ସୌନ୍ଦର୍ଯ୍ୟକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି। ଏହାର ପ୍ରତିବାଦରେ ଗତ ୧୫ ତାରିଖରେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ଦାବି ପତ୍ର ପ୍ରଦାନ କରିଥିଲେ।