
କେସିଙ୍ଗା- ୨୮/୨ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ୬୨ ଲକ୍ଷ କ୍ୟୁଣ୍ଟାଲରୁ ଉର୍ଦ୍ଧ୍ବ ଧାନ କିଣା ଯାଇଥିଲା ବେଳେ କଟନୀ ଛଟନୀ ନାଁରେ ପାଖାପାଖି ୮୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଏହି ଘଟଣାକୁ ସରକାରୀ ସ୍ତରରେ କେଉଁ ଅଧିକାରୀ ନ ମାନିଲେ ବି ଗୋଟିଏ କଥା ସ୍ପଷ୍ଟ ଯେ ସମସ୍ତଙ୍କ ଜ୍ଞାତ ସାରରେ ଚାଷୀଙ୍କୁ ନିମ୍ନମାନର ଧାନ କହି କ୍ୟୁଣ୍ଟାଲ ପିଛା ୬କେଜି ଧାନ କଟନୀ ଛଟନୀ କରାଯାଇଛି। ଏହାକୁ ହିସାବ ନେଲେ ପ୍ରାୟ ୩ ଲକ୍ଷ ୬୬ ହଜାର କ୍ୟୁଣ୍ଟାଲ ଧାନ କଟନୀ ଛଟନୀ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୮୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ତେବେ ଏହି ଟଙ୍କା କାହା ପକେଟ୍ କୁ ଗଲା ତାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି। ଅନ୍ୟପକ୍ଷେ ଏଫସିଆଇ ଏବଂ କେନ୍ଦ୍ର ଓ ରାଜ୍ୟ ଚାଉଳ ନିଗମକୁ ମିଲର୍ସ ମାନେ କେମିତି ଅଧିକ ଓଜନର ଚାଉଳ ଦେଉଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆର ଏମ୍ ସି ଓ ପେକ୍ସ ଭଳି ଦୁଇଟି ସଂସ୍ଥା ଚାଷୀଙ୍କ ଠାରୁ ୨ପ୍ରତିଶତ ହିସାବରେ ବର୍ଷକୁ କୋଟି କୋଟି ଟଙ୍କା ଦେଉଛନ୍ତି। ହେଲେ ଏହି ଦୁଇଟି ସଂସ୍ଥା ନିଜର ଭିତ୍ତିଭୂମି ନ ଥିବାରୁ ସବୁ ମିଲର୍ସ ହାତକୁ ଟେକିଦେଇଛି। ଯାହାଫଳରେ ମିଲର୍ସ ନିୟନ୍ତ୍ରଣରେ ଧାନ କିଣା ରହିଛି।
ଯାହାର ପରଣାମ ଭୋଗୁଛନ୍ତି ଚାଷୀ ଆଉ ମାଲାମାଲ ହେଉଛନ୍ତି ସରକାରୀ ବାବୁ ଓ ମିଲରମାନେ।