
ଭବାନୀପାଟଣା-୫/୩ ଆଜି ଆମ ରାଜ୍ୟର ପୁରପଲ୍ଲୀ ତଥା ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ବିଜୁ ଜୟନ୍ତୀ ପାଳନ ଅବସରରେ କେସିଙ୍ଗା ବ୍ଲକର ୪୦ ଜଣ ବିଜେଡ଼ି ନେତାମାନେ ବିଜେପିରେ ମିଶିଥିବା ଜଣାପଡିଛି। ଏହି ୪୦ ଜଣଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ ଚନ୍ଦନ ସେନାପତି, ବେଲଖଣ୍ଡି, ହାତୀଖୋଜ, ନୁନମାଠ, କନ୍ତେଶିର ଓ ଗାଇଗାଁ ସରପଞ୍ଚଙ୍କ ସମେତ ଅବଶିଷ୍ଟ ୩୪ ଜଣ ଓ୍ବାର୍ଡ ମେମ୍ବର ଆଜିର ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ, ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ପୂର୍ବତନ ଜିଲ୍ଲା ସଭାପତିଙ୍କ ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଓ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ, ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଏମାନଙ୍କୁ ସ୍ବାଗତ କରିଥିଲେ। ଏହା ପୂର୍ବରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ଆହୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ୨୦୨୫ ଆର୍ଥିକ ବଜେଟରେ ବିକଶିତ ଭାରତ ଓ ଓଡ଼ିଶା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ପାଇଁ ବହୁ ପରିମାଣରେ ଅନୁଦାନର ବ୍ୟବସ୍ଥା କରିଛନ୍ତି। ତେଣୁ ଏହାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କଳାହାଣ୍ଡି ଜିଲ୍ଲା ପ୍ରଭାରୀ ତଥା ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ପରାମର୍ଶ ଦେଇଥିଲେ। ଏହାପରେ ଅନେକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଜଙ୍ଗଲ ଓ ପରିବେଶ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର ସଠିକ୍ ଉତ୍ତର ନଦେଇ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ବୁଲେଇ ବଙ୍କେଇ ତାଙ୍କର ପ୍ରତିକ୍ରିୟା ରଖିଥିଲେ।
