ଭବାନୀପାଟଣା-୮/୩ ରାଜ୍ୟରେ ମହିଳା ଓ ଶିଶୁ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନିୟନ୍ତ୍ରଣ ପାଇଁ ରାଜ୍ଯ ସରକାରଙ୍କ ଦୃଷ୍ଟି ଆକର୍ଷଣ ଲାଗି ଜିଲ୍ଲା କଂଗ୍ରେସ ତରଫରୁ ଆସନ୍ତା ୧୦ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟୀ ସଭାପତି ଭାରତ ଭୂଷଣ ବେମାଲଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ମନୋଜ ତ୍ରିପାଠୀଙ୍କ ଉପସ୍ଥିତିରେ ଅନେକ କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେଇ ଘେରାଉକୁ ସଫଳ କରାଯିବା ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ଉପ ସଭାପତି ଉଛବ ସାହୁ, ଇନ୍ଦ୍ରଜିତ୍ ମହାଖୁଡ, ଧନୁର୍ଦ୍ଧର ଗହୀର, ମହମ୍ମଦ ସାହେବ, ସରୋଜ ବାଗ, ସନ୍ତୋଷ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ନିଜ ନିଜର ମତ ରଖିଥିଲେ। ପର୍ଯ୍ୟବେକ୍ଷକ ଶ୍ରୀ ତ୍ରିପାଠୀ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ଘେରାଉ କାର୍ଯ୍ୟକ୍ରମ ଯେପରି ସଫଳ ହୋଇପାରିବ ସେନେଇ ପରାମର୍ଶ ଦେଇଥିଲେ।