
କେସିଙ୍ଗା – ୧୧|୩ (ଶୃ.ମି): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଟୋଲବ୍ରାହ୍ମଣୀ ସ୍ଥିତ ସିଦ୍ଧ ରତ୍ନକୁଟିର ମହିମା ଆଶ୍ରମରେ ଆରମ୍ଭ ହୋଇଛି ୬୭ତମ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ ବାଲ୍ୟଲୀଳା ମହୋତ୍ସବ-୨୦୨୫। ମଙ୍ଗଳବାର ପ୍ରାତଃ ବ୍ରହ୍ମମୁହୁର୍ତ୍ତରେ ଅଖଣ୍ଡବତୀ ପ୍ରଜ୍ଜ୍ୱଳନ ଓ ଧୂନି ସ୍ଥାପନ ସହ ବ୍ରହ୍ମନାମ ଆରମ୍ଭ ହୋଇଛି। ମଙ୍ଗଳବାର, ବୁଧବାର ଓ ଗୁରୁବାର ତିନି ଦିନ ଧରି ବ୍ରହ୍ମଯଜ୍ଞ ସହ ଭଜନ, କୀର୍ତ୍ତନ, ପ୍ରବଚନ, ବ୍ରହ୍ମନାମ, ଅବକାଶ ଜଣାଣ, ଆଠ ଭଜନ, ପାଲା, ନାଟକ ଆଦି ଆୟୋଜିତ ହୋଇ ଶୁକ୍ରବାର ଦିନ ପୂର୍ଣ୍ଣାହୁତି ସହ କାର୍ଯ୍ୟକ୍ରମର ସମାପନ ହେବ ବୋଲି ସୂଚନା ରହିଛି। ମହିମା ସମାଜ ପଶ୍ଚିମାଞ୍ଚଳ ଲତା ଆଶ୍ରମ ପରିଚାଳନା ସମିତି ଯୋରନ୍ଦାର ସଭାପତି ତଥା ସିଦ୍ଧ ରତ୍ନକୁଟିର ଟୋଲବ୍ରାହ୍ମଣୀର ମଠାଧିଶ ବ୍ରହ୍ମ ଅବଧୂତ ଭଗବାନ ବାବା ଏହି ବ୍ରହ୍ମଯଜ୍ଞର ଯାଜ୍ଞିକ ଥିବାବେଳେ ଅନେକ ସାଧୁସନ୍ଥ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ସେହିପରି ଭାବେ ବୈଦ୍ୟରାଜ ପବିତ୍ର ଶବର, ପଦ୍ମା ଶବର ଓ ପୁଷ୍ପା ଶବର ଯଜ୍ଞ କର୍ତ୍ତା ଦାଇତ୍ବ ନିର୍ବାହ କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ଅଞ୍ଚଳର ଭକ୍ତବୃନ୍ଦ ଓ ଗ୍ରାମବାସୀମାନେ ସହଯୋଗ କରିଥିବା ବେଳେ ପଶ୍ଚିମାଞ୍ଚଳର ଅନେକ ସିଦ୍ଧ ବାବା, ସାଧୁ, ମହିମା ଧର୍ମାବଳମ୍ବୀଙ୍କ ସମେତ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି।