ନିର୍ବାଚନ ପ୍ରକ୍ରିୟାରେ ଭୋଟର କାର୍ଡ ସହ ଲିଙ୍କ୍ ହେବ ଆଧାର କାର୍ଡ

ଭବାନୀପାଟଣା-୨୦/୩ ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଲାଗି ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ଲିଙ୍କ୍ କରାଯିବା ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ନିର୍ବାଚନ ଅଧିକାରୀ ଜିଲ୍ଲାର ମତଦାତାମାନେ ନିଜ ଭୋଟର କାର୍ଡ ସହିତ ଆଧାର ଲିଙ୍କ୍ କରିବାକୁ ନିବେଦନ କରିଛନ୍ତି। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନ କମିଶନ କହିଛନ୍ତି ଯେ ବର୍ତ୍ତମାନର ପ୍ରଚଳିତ ଆଇନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭୋଟର କାର୍ଡ ସହ ଆଧାର ଲିଙ୍କ୍ କରାଯିବ । ତେବେ ଏହା ବାଧ୍ୟତାମୂଳକ ଭାବେ ନୁହେଁ, ସମ୍ପୂର୍ଣ୍ଣ ଇଚ୍ଛାଧୀନ ଭାବେ କରାଯିବ ବୋଲି କମିଶନ କହିଛନ୍ତି । ନିର୍ବାଚନ କମିଶନଙ୍କ କହିବାନୁଯାୟୀ ନିର୍ବାଚନ କମିଶନ ଜନପ୍ରତିନିଧିତ୍ଵ ଆଇନ, ୧୯୫୦ ର ଧାରା ୩୨୬ ଏବଂ ଜନପ୍ରତିନିଧି ଆଇନର ଧାରା ୨୩(୪), ୨୩(୫) ଓ ୨୩(୬) ଏବଂ ଡଚ(ସିଭିଲ) ନମ୍ବର ୧୧୭/୨୦୨୩ ରେ ଆସିଥିବା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଭୋଟର ପରିଚୟକୁ ଆଧାର ସହିତ ସଂଯୋଗ କରାଯିବା ନିଷ୍ପତ୍ତି ନିଆଯାଇଛି । ଏହିକ୍ରମରେ ଭୋଟର ପରିଚୟ ପତ୍ରରେ ଉଲ୍ଲେଖ ଥିବା ଇପିଆଇସି ନଂ (ଏପିକ ନଂ) କୁ ଆଧାର ସହିତ ଲିଙ୍କ୍ କରାଯିବ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଆଧାର ଓ ଭୋଟର ପରିଚୟ ପତ୍ର ସଂଯୋଗ ନେଇ ନିର୍ବାଚନ କମିଶନର ଏବଂ ଯୁଆଇଡିଏଆଇ ର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଭୋଟର ପରିଚୟ ପତ୍ର ଓ ଆଧାର କାର୍ଡ ସଂଯୋଗ ଯୋଜନାକୁ କିପରି ଆଗକୁ ବଢାଯାଇପାରିବ ସେ ନେଇ ସମସ୍ତ ବୈଷୟିକ ଦିଗ ଉପରେ ଉଭୟ ପକ୍ଷ ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରକାଶ ଯୋଗ୍ୟ ଭୋଟର ପରିଚୟ ପତ୍ର ସହିତ ଆଧାରକୁ ଲିଙ୍କ୍ କରିବା ପଛରେ ନକଲି ଭୋଟିଂକୁ ରୋକିବା ହେଉଛି ଏକ ବଡ କାରଣ । ଳ୍ମଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଜଣେ ବ୍ୟକ୍ତି ଏକାଧିକ ସ୍ଥାନରେ ଭୋଟ ଦେବାର ସମ୍ଭାବନା ଦୂର ହେବା ସହିତ ନିର୍ବାଚନ ପ୍ରକ୍ରିୟାରେ ସ୍ଵଚ୍ଛତା, ପାରଦର୍ଶିତା ଓ ସମାବିଷ୍ଟକୁ ପ୍ରୋତ୍ସାହିତ କରିବ । ଏଥିପାଇଁ ନିର୍ବାଚନ କମିଶନ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ନିର୍ବାଚନ ପଞ୍ଜିକରଣ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ତରରେ ବୈଠକ କରିବାକୁ ନିଷ୍ପରି ନେଇଛନ୍ତି । ଏଥିସହ ନିର୍ବାଚନ କମିଶନ ମଧ୍ୟ ଏହି ମାମଲାରେ ସମସ୍ତ ଜାତୀୟ ଓ ରାଜ୍ୟ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳମାନଙ୍କ ଠାରୁ ଏପ୍ରିଲ ୩୦ ସୁଦ୍ଧା ଆବଶ୍ୟକ ପରମର୍ଶ ମାଗିଛନ୍ତି।

Leave a Reply

Your email address will not be published. Required fields are marked *