
ଭବାନୀପାଟଣା ତା:୧୩/୦୪ ଆଜି ରବିବାର କଳାହାଣ୍ଡି ଜିଲ୍ଲା ସଦର ମହକୁମାର ଭବାନୀପାଟଣା ଟାଉନ୍ ହଲ୍ ଠାରେ ଓଡ଼ିଶା ସାମ୍ବାଦିକ ୟୁନିଅନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ଶାଖାର ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଶା ସାମ୍ବାଦିକ ୟୁନିଅନ ରାଜ୍ୟ ସମ୍ପାଦକ କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟ ଅତିଥ୍ ଭାବରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ସ୍ବତନ୍ତ୍ର ଅତିଥି ଭାବରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ମୁଖ୍ୟବକ୍ତା ଭାବେ ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍ ମନୋରଞ୍ଜନ ଯୋଷୀ, ସମ୍ମାନୀତ ଅତିଥ୍ ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତଥା ଗୋଲାମୁଣ୍ଡା ସମାଜ ପ୍ରତିନିଧୂ ବିନ୍ଦୁ ମହାନନ୍ଦ, ରାଜ୍ୟ ଉପସଭାପତି ରାଜେଶ ପଟ୍ଟନାୟକ, ଉପସଭାପତି ରାଜୀବ ମହାନ୍ତି, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଅତିଥିମାନଙ୍କୁ ସଂଘ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ ସମ୍ପାଦକ ଶ୍ରୀ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ସିଂହ ଦେଓ ବିବରଣୀ ପଠନ କରିଥିଲେ। ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ସଂସ୍କୃତିକୁ ଓ ସାମ୍ବାଦିକଙ୍କ ସ୍ୱାଭିମାନ ବହନ କରୁଥିବା ବାର୍ଷିକ ପତ୍ରିକା ‘କାରୁଣ୍ଡ’ କୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ହେମନ୍ତ ସାହୁ କଳାହାଣ୍ଡି ଜିଲ୍ଲାର ସଂସ୍କୃତିକୁ ଓ ସାମ୍ବାଦିକଙ୍କ ସ୍ବାଭିମାନ ବହନ କରୁଥିବା ମଞ୍ଚ ପରିଚାଳନା କରିଥିଲେ । ଓଡ଼ିଶାର ସର୍ବ ପୁରାତନ ୫୩ ବର୍ଷର ସାମ୍ବାଦିକ ୟୁନିଅନ୍ ପ୍ରତି ସବୁବେଳେ ରାଜ୍ୟ ସରକାର ଅବହେଳା କରି ଆସିଛନ୍ତି। ବିହାର ଭଳି ରାଜ୍ୟରେ ସାମ୍ବାଦିକ ମାନଙ୍କ ସମସ୍ତ ଅଧୂକାର ପୂରଣ କରାଯାଇଛି। ପେନସନ୍, ପ୍ରୋଟେକ୍ସନ୍ ଓ ଆକ୍ରିଡିଏସନ୍ ପାଇଁ ଆମେ ଦୀର୍ଘ ଦିନ ଧରି ସ୍ବର ଉତ୍ତୋଳନ କରିଆସୁଛୁ। ଆମର ସହିବାର ସୀମା ଟପି ଗଲାଣି। ଏଣୁ ଆଗକୁ ଆମର ହକ୍ ପାଇଁ ଆନ୍ଦୋଳନ କରିବୁ। ପ୍ରତି ଜିଲ୍ଲାରେ ଆନ୍ଦୋଳନ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ତାଙ୍କ ଅଗ୍ନିବର୍ଷୀ ଭାଷଣରେ କହିଥିଲେ। ମୁଖ୍ୟବକ୍ତା ଶ୍ରୀ ମନୋରଞ୍ଜନ ଯୋଶୀ ପ୍ରକୃତ ସାମ୍ବାଦିକତା ବିଷୟରେ କହିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ଭକ୍ତ ଦାସ ସାମ୍ବାଦିକ ସମାଜକୁ ବଞ୍ଚାଇ ରଖୁଛି ବୋଲି ତାଙ୍କ ବକ୍ତବ୍ୟରେ କହିବା ସହିତ ନାରୀ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବିଭିନ୍ନ ସାମ୍ବାଦିକ ମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘରେ ନୂତନ ଭାବରେ ଯୋଗଦାନ କରିଥିବା ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ଶେଷରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।