କେସିଙ୍ଗା-୨୨/୪ ଗତ ତା. ୯. ୧୦. ୨୦୨୪ ରେ ଉତ୍କେଲା ସରପଞ୍ଚ ନରେନ୍ଦ୍ର ମାଝୀଙ୍କ ବିପକ୍ଷରେ ହୋଇଥିବା ଅନାସ୍ଥା ପ୍ରସ୍ତାବ ଭୋଟିଙ୍ଗ୍ ଗଣତି ଉପରେ ମାନ୍ୟବର ହାଇକୋର୍ଟ ରହିତାଦେଶ ଦେଇଥିଲେ। ତେଣୁ ଭୋଟ ଗଣତି ସ୍ଥଗିତ ରହିବା ଏବଂ ଏନେଇ କୋର୍ଟରେ ଶୁଣାଣି ଚାଲିବା ଯୋଗୁଁ ରାୟ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା। ତେବେ ଗତକାଲି ୨୧ ତାରିଖରେ ମାନ୍ୟବର ହାଇକୋର୍ଟ ପୂର୍ବ ଅନ୍ତରୀଣ ରହିତାଦେଶ ଆଇ. ଏ. ନଂ ୧୪୮୯୬ ଅଫ୍ ୨୪କୁ ଉଠାଇ ନେଇଛନ୍ତି। ଫଳରେ ଉତ୍କେଲା ସରପଞ୍ଚ ଶ୍ରୀ ମାଝୀଙ୍କ ପଦବୀ ସଙ୍କଟରେ। ସୂଚନା ଯୋଗ୍ୟ କେସିଙ୍ଗା ବ୍ଲକ ଉତ୍କେଲା ପଞ୍ଚାୟତ ସରପଞ୍ଚ ଶ୍ରୀ ମାଝୀ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ଦୁର୍ନୀତି କରିବା ବିରୁଦ୍ଧରେ ଓ୍ବାର୍ଡମେମ୍ବର ମାନେ ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଅଭିଯୋଗ କରିଥିଲେ। ତେଣୁ ଗତ ୯/୧୦/୨୪ ରେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଲାଗି ଭୋଟିଂ ହୋଇଥିଲା। ପଞ୍ଚାୟତର ୧୩ ଟି ୱାର୍ଡ ମଧ୍ୟରୁ ୧୨ ଜଣ ଓ୍ବାର୍ଡ ମେମ୍ବର ମତଦାନ କରିଥିଲେ । ଏହି ମତଦାନ ନରେନ୍ଦ୍ରଙ୍କ ବିରୁଦ୍ଧରେ ଯାଇଥିବା ଆଲୋଚନା ହୋଇଥିଲା । ତେବେ ମତଦାନ ଗଣନା ଉପରେ ରିଟ୍ ପିଟସନ୍ ନଂ ୨୭୫୦୦ ଅଫ୍ ୨୦୨୪ ଅନୁଯାୟୀ ମାନ୍ୟବର ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ତେଣୁ ନିଜ ପଦ ବଜାୟ ରଖିଥିଲେ ନରେନ୍ଦ୍ର । ଉଚ୍ଚ ନ୍ୟାୟାଳୟ ରହିତାଦେଶ ଉଛେଦ କରିବା ପରେ ଏବେ ପ୍ରଶାସନ ଭୋଟ ଗଣତି କେବେ କରିବ, ଏହା ଉପରେ ସମସ୍ତଙ୍କ ନଜର ରହିଛି ।