
ଭବାନୀପାଟଣା -୧/୬ ବହୁମୂଖୀ ଇନ୍ଦ୍ରାବତୀ ଜଳ ପ୍ରକଳ୍ପର ଡାହାଣ କେନାଲ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବାରୁ ସାଧାରଣ ଲୋକେ ଏବଂ ଚାଷୀଙ୍କ ମହଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା l ଏହି ରାସ୍ତା ଏପରି ଶୋଚନୀୟ ହୋଇ ପଡିଥିଲା ଯେ ଖୋଦ ବିଭାଗୀୟ କର୍ମଚାରୀ ମାନେ ମଧ୍ୟ ଯାତାୟାତ କରି ପାରୁ ନ ଥିଲେ l ଚାଷୀଙ୍କ ଆପତ୍ତି ଅଭିଯୋଗକୁ ଆଧାର କରି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ରାଜ କୁମାର ବେହେରା ତତ୍ପରତା ପ୍ରକାଶ କରିଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ଏନେଇ ଅବଗତ କରାଇବା ପରେ କାମ୍ପାସ ଯୋଜନାରୁ ୨୪ କୋଟି ଟଙ୍କା ବ୍ୟୟବରାଦ କରି ଟେଣ୍ଡର ଆହ୍ୱାନ କରାଯାଇଥିଲା l ଏହି ଟେଣ୍ଡର ଆହ୍ୱାନ କରି ଥିଲେ ଓସିସି କମ୍ପାନୀ, ଟେଣ୍ଡର ପାଇଥିଲେ ସଚିନ ଅଗ୍ରୱାଲ ନାମକ ଜନୈକ ଠିକାଦାର l ଏହା ଶୂନ୍ୟ କିଲୋମିଟରରୁ ଆରମ୍ଭ ହୋଇ ୪୧କିଲୋମିଟର ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଆରମ୍ଭ ହେଲା l କାର୍ଯ୍ୟ ସଂପାଦନ କରିଥିଲେ ଇନ୍ଦ୍ରାବତୀ ବହୁମୁଖି ଜଳ ପ୍ରକଳ୍ପର ଯନ୍ତ୍ରୀ,ମଙ୍ଗଳପୁର ଡ଼୍ୟାମ ଠାରୁ କଲମପୁର ବ୍ଲକ ଦେପୁର ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମିତ ହେଲା l ଫଳରେ ୧୧ଟି ରାଜସ୍ୱ ଗ୍ରାମର ଚାଷୀଙ୍କ ସମେତ ମଙ୍ଗଳପୁର, ଵେଙ୍ଗେର, କନକପୁର, କୁରିଗୁମା, ରାଣିବାହାଲ, ଚୁରାଗାଁ, ବଦ୍ଦକନା,ପଣ୍ଡିଗା, କଲମପୁର,ଓ ଦେପୁର ଗ୍ରାମର ସାଧାରଣ ଲୋକ ମଧ୍ୟ ଉପକୃତ ହେଲେ l ଦୀର୍ଘ ୧୬ ବର୍ଷର ବ୍ୟବଧାନ ପରେ ଲୋକେ କେନାଲ ଉପରେ ଚକାଚକ ରାସ୍ତା ପାଇବାରୁ ସୁବିଧାରେ ଗମନାଗମନ କରୁଛନ୍ତି, ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ନିର୍ମିତ ଏହି ରାସ୍ତା ତଦାରଖ ପାଇଁ ଭବାନୀପାଟଣାରୁ ଜିଲ୍ଲା କ୍ୟାଲିଟି କଣ୍ଟ୍ରୋଲର ଅଧିକ୍ଷଣ ଯନ୍ତ୍ରୀ ଗସ୍ତ କରି ବିଭିନ୍ନ ସ୍ଥାନରେ ପରୀକ୍ଷା ନୀରୀକ୍ଷା କରି କାର୍ଯ୍ୟର ମାନକୁ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ l ଏହି ରାସ୍ତା ହେବା ପରେ ଲୋକଙ୍କ ଦୀର୍ଘ ଦିନର ପ୍ରତିକ୍ଷାର ଅନ୍ତ ଘଟିଛିl