କେସିଙ୍ଗା -୧୧/୮ ଚଳିତ ବର୍ଷ କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଓ କଶୣପଡା ପଞ୍ଚାୟତ ସ୍ବଳ୍ପ ବର୍ଷା ଯୋଗୁଁ ଭୟାନକ ମରୁଡି ଦେଖା ଦେଇଥିବା ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଚଳିତ ବର୍ଷ ସ୍ବଳ୍ପ ବର୍ଷା ହେବା କାରଣରୁ ଶ୍ରାବଣ ମାସ ଶେଷ ହେଲାଣି ଅଥଚ ବନ୍ଧ, କ୍ଷୁଦ୍ର ଜଳସେଚନ ଓ ଜମିମାନଙ୍କରେ ପାଣି ନାହିଁ। ଯେଉଁ ସ୍ବଳ୍ପ ବର୍ଷା ହୋଇଥିଲା ଚାଷୀକୂଳ କେବଳ କିଛି ବାହାଲ ଜମି ଛାଡି ଦେଲେ ମାଳ, ବେର୍ଣ୍ଣା ଜମିରେ ଆଜି ପର୍ଯ୍ୟନ୍ତ ରୁଆ ବେଉଷଣ ହୋଇପାରି ନାହିଁ। ଆଗକୁ ବର୍ଷା ହେଲେ ମଧ୍ୟ ସମ୍ପୂର୍ଣ ଚାଷ ହୋଇପାରିବ ନାହିଁ। କାରଣ ତଳିସବୁ ବୁଢା ହୋଇଗଲାଣି। ସେହିପରି ବୁଣାଧାନ ମଧ୍ୟ ବେଉଷଣ ହୋଇ ନପାରି ଧାନଗଛ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାକୁ ଆସିଗଲାଣି। ଯେଉଁ ଜମି ରୁଆ ବେଉଷଣ ହୋଇଥିଲା ସେସବୁ ମଧ୍ୟ ବର୍ଷା ଅଭାବ ଯୋଗୁଁ ମରିବାକୁ ବସିଲାଣି। ଏଣୁ ଏହି ଦୁଇ ପଞ୍ଚାୟତର ୬୫/୭୦ ପ୍ରତିଶତ ଜମି ପଡିଆ ପଡିଥିବା ଜଣାପଡିଛି। ଫଳରେ ଚାଷୀକୂଳ ବର୍ତ୍ତମାନ ହତାଶ ହୋଇପଡିଛି। ଏଠାରେ ସୂଚନାଯୋଗ୍ୟ ଚଳିତ ବର୍ଷ ମେ ମାସରେ ୧୨୧ ମିମି, ଜୁନ୍ ମାସରେ ୧୩୪ମିମି, ଜୁଲାଇ ମାସରେ ୨୦୫ମିମି ବର୍ଷା ହୋଇଥିଲା ବେଳେ ଅଗଷ୍ଟ ମାସ ୧୧ ତାରିଖ ପର୍ଯ୍ୟନ୍ତ ୩୨ମିମି ବର୍ଷା ହୋଇ ଥିବା କେସିଙ୍ଗା କୣଷି ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏଣୁ ରାଜ୍ୟ ସରକାର ମରୁଡିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବା ସହ ପଡିଆ ପଡିଥିବା ଜମି ପାଇଁ ଡାଲିଜାତୀୟ ଫସଲ ଲାଗି ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।