
ଜୁନାଗଡ- ୨୧/୧(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ ଅନ୍ତର୍ଗତ ଦେଦର ପଞ୍ଚାୟତ ବାଞ୍ଜିବାହାଲ ଗାଁର ଜଙ୍ଗଲ ଜମିରେ ବସବାସ କରୁଥିବା ୧୧ ଜଣ ଆଦିବାସୀ ପରିବାରଙ୍କ ଘରକୁ ଜାନୁଆରୀ ମାସର ୧୭ ତାରିଖ ଦିନ ବନ ବିଭାଗ ପକ୍ଷରୁ ଜୋର ଜବରଦସ୍ତି ଭାଙ୍ଗି ଦିଆଯାଇଛି । ଏହି ଖବର ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ଏହାର ସତ୍ୟତା ଜାଣିବା ପାଇଁ ଆଜି ୨୧ ତାରିଖ ମଙ୍ଗଳବାର ଦିନ ଭାରତ ମୁକ୍ତି ମୋର୍ଚ୍ଚା ସହିତ ସହଯୋଗୀ ସଂଗଠନ ଏବଂ ଭୀମ ଆର୍ମିର ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିଲେ । ଦୀର୍ଘଦିନରୁ ବସବାସ କରିଆସୁଥିବା ଭୂମୀହିନ ଆଦିବାସୀ ପରିବାରର ଘର ଭାଙ୍ଗିବା ଦ୍ବାରା ଏଠାରେ ବସବାସ କରିଆସୁଥିବା ୧୧ ପରିବାରର ୬୮ ଜଣ ଲୋକ ପ୍ରଭାବିତ ହେବା ସହ ବାସହରା ହୋଇପଡିଛନ୍ତି । ଭୂମିହୀନ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦେବାର ସାମ୍ବିଧାନିକ ବ୍ୟବସ୍ଥା ରହିଥିବା ସତ୍ତ୍ବେ ମଧ୍ୟ ଏହାକୁ ଅଣଦେଖା କରି ଆଦିବାସୀ ମାନଙ୍କ ଘର ଭାଙ୍ଗିବା, ହଳ ନଙ୍ଗଲ, ରଫା ଆଦି ଛଡାଇ ନେବା ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ଉକ୍ତ କମିଟୀରେ ଭାରତ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି ମାଧବ ସୁନାନୀ, ଅଲ୍ ଇଣ୍ଡିଆ ସିଡୁଲ୍ଟକାଷ୍ଟ ଫେଡେରେସନ ଜିଲ୍ଲା ସଭାପତି ଜତିନ୍ଦ୍ର କର, ବିଏମପି ଜିଲ୍ଲା ସଭାପତି ମହେନ୍ଦ୍ର ଧଙ୍ଗଡା ମାଝି, ରାଜ୍ୟ ସଭାପତି ଗଙ୍ଗାଧର ଜାଲ, ଆରଏମବିକେଏସ ରାଜ୍ୟ ସଭାପତି ଡମ୍ବରୁଧର ମାଝୀ, ରାଜ୍ୟ ପ୍ରଭାରୀ ଜଗଦୀଶ ଯାଦବ, ଭୀମ ଆର୍ମିର ରାଜ୍ୟ ସାଧାରଣ ସଂପାଦକ ଜଗଜୀବନ କୁମାର ପ୍ରମୂଖ ଉପସ୍ଥିତ ଥିଲେ।