କବିଙ୍କ କବିତାରେ ଗୁଞ୍ଜରିତ ହେଲା ମହାବୀର ମଞ୍ଚ

ଭବାନୀପାଟଣା,୧୩/୧୧( )-୬୧ତମ ମହାବୀର ମହୋତ୍ସବର ଷଷ୍ଠଦିବସରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ। ଜିଲ୍ଲାର ବିଭିନ୍ନ କୋଣଅନୁକୋଣରୁ ଆସିଥିବା ୧୫ଜଣ ନାରୀ କବିଙ୍କ ସହିତ ସମୁଦାୟ ୫୦ରୁ ଉର୍ଦ୍ଧ୍ୱ କବି ଏଥିରେ ସାମିଲ ହୋଇ ନିଜ ନିଜର କବିତା ପାଠ କରିବା ସହ କଳାହାଣ୍ଡି ମାଟିର ସାହିତ୍ୟ ପ୍ରେମ ଓ ପ୍ରୀତିର ଫଲଗୁ ବାଣ୍ଟିଥିଲେ। କବିଙ୍କ କବିତାର ଶବ୍ଦ ଗୁଞ୍ଜନରେ ଆଜି ଦିନତମାମ ଗୁଞ୍ଜରିତ ହୋଇଥିଲା ମହାବୀର ମଞ୍ଚ। ବରିଷ୍ଠ କବି ସନ୍ତୋଷ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କବି ଲଳିତ କାନୁନଗୋ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲେଖକ ଓ ସମୀକ୍ଷକ ସୁଦର୍ଶନ ଦାସ, କବି ନିରୋଜ ପଟ୍ଟନାୟକଙ୍କ ସହିତ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଶାନ୍ତନୁ ବେହେରା, ସାଧାରଣ ସଂପାଦକ ସତ୍ୟ ନାରାୟଣ ସିଂହ ପ୍ରମୁଖ ମଂଚାସୀନ ଥିଲେ। ଯୁବକବି ପ୍ରଶାନ୍ତ କୁମାର ଦାଶ ଓ ପୁଣ୍ୟଦୀପା ଖମାରୀ କବିତା ସଂଯୋଜନା କରିଥିଲେ। ଅନୁଷ୍ଠାନର ଯୁଗ୍ମ ସଂପାଦକ ସଞ୍ଜୀବ କୁମାର ସିଂହ ସ୍ୱାଗତ ଅଭିଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *