ଜରାଜୀର୍ଣ୍ଣ ଅବସ୍ଥାରେ ମେର୍ଡି କୁପାଗାଁ ଅଙ୍ଗନବାଡ଼ି କେନ୍ଦ୍ର

ନର୍ଲା-୨/୨ (ପ୍ରଦୀପ କୁମାର ଗଉଡ) ନାହିଁ ନାହିଁରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ଭୂର୍ଟିଗଡ ପଞ୍ଚାୟତର ମେର୍ଡୀ କୁପାଗାଁରୁ । ରାଜ୍ୟରେ ଅପପୃଷ୍ଟି ରୋକିବା ପାଇଁ ରାଜ୍ୟ ସରକାର , ପରିବାର ଓ ଶିଶୁ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ପ୍ରସୂତି ଓ ଗର୍ଭବତୀ ମହିଳା ଏବଂ କୁନି କୁନି ପିଲାଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଇଥାନ୍ତି । ପ୍ରତିଦିନ ଅଙ୍ଗନୱାଡ଼ି ଦିଦି ଉପସ୍ଥିତ ପିଲାଙ୍କ ଅନ୍ତର୍ନିହିତ ବିକାଶ ପାଇଁ ପ୍ରଶିକ୍ଷଣ ଦେବା ସରକାରୀ ନିୟମ ଥିବାବେଳେ ଅଧିକାଂଶ ସମୟ ଅଙ୍ଗନୱାଡ଼ି ଦିଦି କେନ୍ଦ୍ରରେ ଅନୁପସ୍ଥିତ ରହୁଥିବାରୁ କୁନି କୁନି ପିଲା ପ୍ରଶିକ୍ଷଣରୁ ବଞ୍ଚିତ ହୋଇ କେବଳ ଭୋଜନ କରି ଘରକୁ ଫେରୁଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ। ପୁରୁଣା ଅଙ୍ଗନୱାଡ଼ି କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା ବେଳେ ନୂତନ ଗୃହ ନିର୍ମାଣ ଚାଲିଛି ହେଲେ ଆଜିଯାଏଁ ସମ୍ପୂର୍ଣ୍ଣ ହେଉ ନ ଥିବା ଅଭିଯୋଗ ହେଉଛି। ଉକ୍ତ କେନ୍ଦ୍ରର ପାଚିକା ନିୟମିତ ଉପସ୍ଥିତ ରହି ରୋଷେଇ କରିବା ସହିତ ସମସ୍ତଙ୍କୁ ଭୋଜନ ପରଷୁ ଥିବା ବେଳେ ଅଙ୍ଗନୱାଡ଼ି ଦିଦି କିନ୍ତୁ ପ୍ରାୟତଃ ଆସୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବ୍ଲକ୍ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *