
ଧର୍ମଗଡ – ୩/୨(ଗଣେଶରାମ ବାଗ) ଓଡିଶା ସରକାରଙ୍କ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗତ କିଛିଦିନ ତଳେ ଗଣମାଧ୍ୟମରେ ତାଙ୍କ ସରକାର ବ୍ଲକ ପୁନର୍ଗଠନ ପାଇଁ ତର୍ଜମା କରୁଛନ୍ତି। ତେଣୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଭିତରେ ନୂତନ ବ୍ଲକ ଗଠନ ନେଇ ଆଶା ସଞ୍ଚାର ହୋଇଛି ।ବିଶେଷକରି କଳାହାଣ୍ଡି ଜିଲ୍ଲାର ଐତିହାସିକ ଦଣ୍ଡପାଟ ଅଞ୍ଚଳ ୧୧ ଗୋଟି ପଞ୍ଚାୟତକୁ ନେଇ ନୂତନ ଭାବେ ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଅଞ୍ଚଳବାସୀ ସୋମବାର ଦିନ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରସ୍ତାବିତ ଏହି ନୂତନ ବ୍ଲକ ପାଇଁ ଧର୍ମଗଡ଼ ବ୍ଲକର ବେହେରା, ଜୟନ୍ତପୁର, ଛଞ୍ଚାଣବାହଲି, ଧଅରପୁର, ତେଣ୍ଡାପାଲି ପଂଚାୟତ ଓ କୋକସରା ବ୍ଲକ ର ଗୋତୋମୁଣ୍ଡା, ସାନ ପୋଡାଗୁଡା, ଡାଲଗୁମା, ମୂଷାପାଲି, ଡହଗାଁ ଓ ଖୁଣ୍ଟିଆ ପଞ୍ଚାୟତର ସମସ୍ତ ପଞ୍ଚାୟତ ପ୍ରତିନିଧି, ବୁଦ୍ଧିଜୀବୀମାନେ ଦଳମତ ନିର୍ବିଶେଷରେ ସମସ୍ତେ ବେହେରା ଠାରେ ଦଣ୍ଡପାଟ ବ୍ଲକ ପ୍ରତିଷ୍ଠା କରିବା ପାଇଁ ଜିଲ୍ଲା ପ୍ରଶାସନର ସାହାଯ୍ୟ ଲୋଡ଼ିଥିଲେ । ବେହେରା ଗ୍ରାମ ହେଉଛି ଦଣ୍ଡପାଟ ଅଞ୍ଚଳର ମୁଖ୍ୟ ବ୍ୟବସାୟିକ କେନ୍ଦ୍ର। ବେହେରା ଗ୍ରାମ ଉପରେ ଏହି ଅଞ୍ଚଳ ବ୍ୟତୀତ ପଡୋଶୀ ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ଼ ରାଜ୍ୟର ଶହ ଶହ ବ୍ୟକ୍ତି ପ୍ରତ୍ୟେକ ଦିନ ନିଜର ଜୀବନ ଜୀବିକା ପାଇଁ ନିର୍ଭର କରନ୍ତି । ଠିକ୍ ସେହିଭଳି ବେହେରା ଠାରେ +୨ ଓ +୩ କଲେଜ, ପ୍ରାଥମିକ ଚିକିତ୍ସାଳୟ, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଭଳି ଅନେକ ସରକାରୀ କାର୍ଯ୍ୟାଳୟ ଥିବାରୁ ଏହି ଅଞ୍ଚଳର ଲୋକ ମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇଥାନ୍ତି । ତେଣୁ ବିଜେପି ସରକାର ଦଣ୍ଡପାଟରେ ଏକ ନୂତନ ବ୍ଲକ ଗଠନ ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ଓଡିଶାରେ ଡବଲ ଇଞ୍ଜିନର ସରକାର ଚାଲିଥିବାରୁ ବ୍ଲକ ପୁନର୍ଗଠନ କରି ଇତିହାସ ସୃଷ୍ଟି କରିବାକୁ ଲୋକେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି । ପୁନଶ୍ଚ ଜିଲ୍ଲାପାଳ ମଧ୍ୟ ତାଙ୍କ ଅବଧିରେ ବେହେରା ଠାରେ ଦଣ୍ଡପାଟ ବ୍ଲକ ଗଠନ କରିବା ପାଇଁ ସରକାରଙ୍କୁ ନିଜର ଏକ ଉତ୍ତମ ସୁପାରିଶ କରିବାକୁ ବୁଦ୍ଧିଜୀବୀ ମାନେ ଅନୁରୋଧ କରିଥିଲେ । ଉକ୍ତ ଦାବୀ ଉପରେ ପ୍ରତିକ୍ରିୟା ରଖି ଜିଲ୍ଲାପାଳ ସରକାର ତ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ବ୍ଲକ ପୁନର୍ଗଠନ ପାଇଁ ନୋଟିସ ଜାରି କରିନାହାନ୍ତି , ଆଗାମୀ ଦିନରେ ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଲେ ସେ ସରକାରଙ୍କ ନିୟମ ମୁତାବକ ନିଶ୍ଚୟ ସାହାଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ । ଆଜିକାର ଏହି କାର୍ଯ୍ୟକ୍ରମରେ ଦଣ୍ଡପାଟ ବ୍ଲକ କ୍ରିୟାନୁଷ୍ଠାନ କମିଟିର ସଭାପତି ଘନଶ୍ୟାମ ପଟେଲ, କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ସମ୍ପାଦକ ପ୍ରଶାନ୍ତ ତିୱାରି, ଉପଦେଷ୍ଟା କମିଟି ଅଧ୍ୟକ୍ଷ ଧର୍ମାନନ୍ଦ ସେଠିଆ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସରପଞ୍ଚ ବୈଲୋଚନ ଗୋପାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୂଝରୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭିକାରି ନିଆଲ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।