ପଞ୍ଚାୟତ ସ୍ତରୀୟ ମହାସଂଘର କାର୍ଯ୍ୟକାଳ ବୃଦ୍ଧି ଦାବିରେ ଜୀବିକା ମିଶନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଭବାନୀପାଟଣା ତା:୨୭/୦୧ ଆଜି ଓଡ଼ିଶା ଜୀବିକା ମିଶନ ଇ ସି ସଂଘ କଳାହାଣ୍ଡି ଜିଲ୍ଲା କମିଟୀ ପକ୍ଷରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘର ଶହ ଶହ ସଦସ୍ୟା ସ୍ଥାନୀୟ ଭବାନୀପାଟଣା ମାଣିକେଶ୍ଵରୀ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଦାବି ଅନୁସାରେ ପୂନର୍ଗଠନ ପ୍ରକ୍ରିୟା ବନ୍ଦ କରି, ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘର କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ, ମାନ୍ୟବର ମୁଖ୍ୟ ମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ମିଶନ ଶକ୍ତି ବିଭାଗୀୟ ସଚିବଙ୍କ ଉଦ୍ଦେଶ୍ୟରେ ୩ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦିଆଯାଇଥିବା ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବା ସହ ରାଜ୍ୟର ଲକ୍ଷ୍ୟ ଲକ୍ଷ ଇ, ସି କର୍ମୀ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ର ଉପଦେଷ୍ଟା ଉମେଶ ଚନ୍ଦ୍ର ନାୟକ ଚେତାବନୀ ଦେଇଛନ୍ତି। ଭାରତୀୟ ମଜଦୂର ସଂଘର ଜିଲ୍ଲା କାର୍ଯ୍ୟକର୍ତ୍ତା ରାଧାକାନ୍ତ ବେହେରା ସମାନ କଥା କହିଥିବା ବେଳେ, ଜିଲ୍ଲା ସଭାନେତ୍ରୀ ନଳିନୀ ମଞ୍ଜରୀ ବାଗ, ସଂପାଦିକା ଶଙ୍ଖଶିନୀ ପଣ୍ଡା, ବୈଜୟନ୍ତୀ ସାହୁ, ରାଜଲକ୍ଷ୍ମୀ ଭଇଁସାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ପ୍ରଦର୍ଶନୀ ସଭାରେ ଭବାନୀ ରାଉତ, ଉପ ସଭାପତି ଭାରତୀୟ ମଜଦୁର ସଂଘ କଳାହାଣ୍ଡି , ନୂଆପଡା ଓ ରାୟଗଡା ଜିଲ୍ଲାର ପ୍ରଭାରୀ ବିଶ୍ୱ ରଞ୍ଜନ ସା ଯୋଗ ଦେଇ ମାଆମାନଙ୍କ ଦାବି ପୂରଣ ପାଇଁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *