କେସିଙ୍ଗା ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ଅନୁଷ୍ଠିତ

କେସିଙ୍ଗା- ୨୭/୧ ଆଜି କେସିଙ୍ଗା ବ୍ଲକ ସଭାଗୃହରେ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଉପ ଜିଲ୍ଲାପାଳ, ଭବାନୀପାଟଣା ପ୍ରଭାତ କୁମାର ପରିଜା, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ଓ ବିଡ଼ିଓ ସିଦ୍ଧେଶ୍ୱର ମେହେର ପ୍ରମୁଖ ଯୋଗଦାନ କରିଥିଲେ। ଏଥିସହିତ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ସମୁଦାୟ ୬୫ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା ବେଳେ ଏଥିରେ ୫୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଗତ ଥିଲାବେଳେ ଅବଶିଷ୍ଟ ସାମୁହିକ ଅଭିଯୋଗ ଥିଲା। ଏହିସବୁ ଅଭିଯୋଗ ମଧ୍ୟରେ ପି ଏମ୍ ଆବାସରୁ ବଞ୍ଚିତ ଥିବା ଗରିବ ହିତାଧିକାରୀଙ୍କୁ ନୂତନ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ୬ ଟି, ସାମାଜିକ ସୁରକ୍ଷା ଯୋଜନାରୂ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ କରିବା ୨୩ ଟି, ଶସ୍ୟଖଳା ନିର୍ମାଣରେ ଅନିୟମିତତା, ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର, କେସିଙ୍ଗା ବ୍ଲକର ଭାରପ୍ରାପ୍ତ ଜିପିଡିଓଙ୍କ ଦୁର୍ନୀତି, ବାସହୀନ ପରିବାରଙ୍କୁ ମାଗଣା ଘରଡିହ ଯୋଗାଣ ଆଦି ଅନ୍ତର୍ଭୁକ୍ତ ଥିବା ଜଣାପଡିଛି । କେସିଙ୍ଗାର କେତେକ ଗଣମାଧ୍ୟମ ପ୍ରତିନିଧି ବ୍ଲକ ପକ୍ଷରୁ ପ୍ରଚାର ପ୍ରସାର ଅଭାବରୁ ଜନଶୁଣାଣୀ ଶିବିରରେ କମ୍ ଲୋକ ହେଉଛନ୍ତି ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ଜିଲ୍ଲାପାଳଙ୍କ ଉତ୍ତରରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରି ପଳେଇ ଆସିଥିଲେ।

Leave a Reply

Your email address will not be published. Required fields are marked *