ଏନ୍ଏସିର ଖାମଖିଆଲି ମନୋଭାବ ଯୋଗୁଁ ଓମ୍ ନଗର ରାସ୍ତା ପାଲଟିଛି ମରଣଯନ୍ତା

କେସିଙ୍ଗା- ୩/୧୦ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି ମଧ୍ୟରେ ୨୬ ନମ୍ବର ଜାତୀୟ ରାଜପଥର ପଶ୍ଚିମ ପାର୍ଶ୍ବ ତ୍ରିମୂର୍ତ୍ତୀ କ୍ଲଥ ଷ୍ଟୋର ନିକଟରୁ ଓମ୍ ନଗର ଦେଇ ଏକ ଲିଙ୍କ୍ ରାସ୍ତା ତେଲ ନଦୀ ବ୍ରିଜ୍ ପର୍ଯ୍ୟନ୍ତ ରହିଛି। ଏହା ୨୬ ନଂ ଜାତୀୟ ରାଜପଥ ରୁ ଓମ୍ ନଗର ପର୍ଯ୍ୟନ୍ତ ଯାଇଥିବା ୪୦୦ ମିଟର ଏକ ଲିଙ୍କ୍ ରାସ୍ତା କେସିଙ୍ଗା ଏନ୍ ଏ ସି ଅଧୀନରେ ଥିଲାବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ମଧ୍ୟ ବୁଝୁଥିଲା। କିନ୍ତୁ ଏନ୍ ଏ ସି କର୍ତ୍ତୃପକ୍ଷ ଏହି ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ପିଡବ୍ଲଡି ବିଭାଗକୁ ତା. ୧୩. ୬. ୨୦୨୪ ରେ ପ୍ରଥମ ପ୍ରସ୍ତାବ ଦେଇଥିଲା ବେଳେ ସଂପୃକ୍ତ ବିଭାଗ କୈାଣସି ଉତ୍ତର ଦେଇ ନଥିଲା। ପୁନଃ ଏନ୍ ଏ ସି କର୍ତ୍ତୃପକ୍ଷ ତା ୧୯. ୦୭. ୨୦୨୪ ରେ ଦ୍ବିତୀୟ ଥର ପାଇଁ ଏକ ପ୍ରସ୍ତାବ ପାରିଷଦ ବୈଠକରେ ପାସ୍ କରି ୨୬ ଜୁଲାଇ ୨୦୨୪ ରେ ଚିଠି ପଠାଇଥିଲା। ତେବେ ଏ ପର୍ଯ୍ୟନ୍ତ ପିଡବ୍ଲୁଡି ବିଭାଗ ତରଫରୁ କୈାଣସି ଚିଠି ଆସିନଥିବା ବେଳେ ଏନ୍ ଏ ସି କର୍ତ୍ତୃପକ୍ଷ ଏହି ରାସ୍ତାର ରକ୍ଷଣାବେକ୍ଷଣ ନକରି ହାତ ବାନ୍ଧି ବସିଛି। ଏବେ ଉକ୍ତ ରାସ୍ତାଟି ରକ୍ଷଣାବେକ୍ଷଣ ଅଭାବରୁ ମରଣଯନ୍ତା ପାଲଟିଛି। ସୂଚନା ଯୋଗ୍ୟ ଏହି ରାସ୍ତା ଦେଇ ତେଲ ନଦୀ ବ୍ରିଜ୍ ପୂର୍ବରୁ ଲୋକଙ୍କ ମନୋରଞ୍ଜନ ପାଇଁ ଏନ୍ ଏ ସି ତରଫରୁ ଏକ ସେଲଫି ପଏଣ୍ଟ ନିର୍ମାଣ କରାଯାଇଥିବାରୁ ସକାଳ ଓ ସନ୍ଧ୍ୟା ବେଳେ ପ୍ରତ୍ୟେକ ଦିନ ଶହ ଶହ ପୁରୁଷ ଓ ମହିଳାମାନେ ଭ୍ରମଣ କରିବା ପାଇଁ ଯାଇଥାନ୍ତି। କିନ୍ତୁ ବର୍ତ୍ତମାନ ରାସ୍ତା ଯେଉଁ ପ୍ରକାର ଶୋଚନୀୟ ଅବସ୍ଥାରେ ରହିଛି ଏମାନଙ୍କ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣରେ କଣ୍ଟା ସାଜିଛି। ଏନ୍ ଏ ସି କର୍ତ୍ତୃପକ୍ଷ କେବଳ ପିଡବ୍ଲୁଡି ବିଭାଗକୁ ପ୍ରସ୍ତାବ ପଠାଇ ନିଜ ଦାୟିତ୍ୱ ସାରିଦେଇଛି ଭାବି ରାସ୍ତାର ରକ୍ଷଣାବେକ୍ଷଣ ନକରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଆଲୋଚନା ହେଉଛି। ତେଣୁ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଏହି ରାସ୍ତାର ମରାମତି ପାଇଁ ଏନ୍ ଏ ସି କୁ ନିର୍ଦ୍ଦେଶ ଦେବାକୁ ପ୍ରତ୍ୟେହ ଯାତାୟତ ପାଇଁ ନିର୍ଭର କରୁଥିବା ଯାତ୍ରୀ ତଥା ସହରବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *