
ଭବାନୀପାଟଣା- ଆଜି ଶୁକ୍ରବାର କଳାହାଣ୍ଡି ଜିଲ୍ଲାପାଳଙ୍କ ସଭା ଗୃହରେ ଚଳିତବର୍ଷ କିପରି ସୁରୁଖୁରୁରେ ପଞ୍ଜିକୃତ ହୋଇଥିବା ୧,୧୪,୭୫୮ ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହେବ ସେନେଇ ଜିଲ୍ଲା ପ୍ରଶାସନ, ନିର୍ବାଚିତ ଜନ ପ୍ରତିନିଧି, ମିଲର୍ସ ଓ ଚାଷୀ ପ୍ରତିନିଧିଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଦର ଭବାନୀପାଟଣା ବିଧାୟକ ସାଗର ଦାସ, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦୁ ସିଂଦେଓ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଜିଲ୍ଲାପାଳ ସଚିନ ପାଓ୍ବାର ପ୍ରକାଶ, ଉପ ଜିଲ୍ଲାପାଳ ପ୍ରଭାବ କୁମାର ମିଶ୍ର, ଜିଲ୍ଲା ଯୋଗାଣ ଅଧିକାରୀ, ପେକ୍ସ, ଡିଆରସିଏସ, ଚାଷୀ ପ୍ରତିନିଧି, ଲାଇନ ବିଭାଗ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଧାୟକଙ୍କ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ଜିଲ୍ଲାପାଳ ଶ୍ରୀ ପ୍ରକାଶ କହିଥିଲେ ଯେ ଚଳିତବର୍ଷ ୨୧୯ ଟି ମଣ୍ଡିରୁ ୮୩ ଟି ମିଲର୍ ଯୋଗେ ୮ ଲକ୍ଷ ୪୧, ୪୧୦ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ ରଖାଯାଇଛି। ଏଥିପାଇଁ ୨୭ ଟି ଏସ ଏଚ୍ ଜି ୮୧ ଟି ପେକ୍ସ ମାଧ୍ୟମରେ ଧାନ ସଂଗ୍ରହ କରାଯିବ। ତେବେ ଆସନ୍ତା ୨୯ ତାରିଖରେ ପ୍ରଥମେ ଗୋଲାମୁଣ୍ଡାରେ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ନୂଆ ମୂଲ୍ୟରେ ଧାନ କିଣାଯିବା ସହିତ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଚାଷୀ ପ୍ରତିନିଧିମାନେ ଦାବି କରିଥିଲେ। ମଣ୍ଡିରେ କଟନୀ ଛଟନୀ ବନ୍ଦ କରିବା, ଭିତ୍ତିଭୂମିର ବିକାଶ ସହିତ ମିଲରଙ୍କ କବାଜରୁ ମୁକ୍ତି ପାଇଁ ମଧ୍ୟ ଚାଷୀ ପ୍ରତିନିଧି ମାନେ ଦାବି କରିଛନ୍ତି । ଅନ୍ୟପକ୍ଷରେ ବିଧାୟକ ଶ୍ରୀ ଦାସ ମଣ୍ଡିରେ ଭିତ୍ତିଭୂମିର ଅଭାବ, ପାନୀୟ ଜଳର ବ୍ୟବସ୍ଥା ନଥିବା, ସେଡ୍ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ଚଳିତବର୍ଷ ସେ ପ୍ରତ୍ୟେକ ମଣ୍ଡି ପରିଦର୍ଶନ କରିବେ ବୋଲି କହିଥିଲେ। ଏଥିସହ ମିଲାର ମାନେ ଯେଉଁ ୮ ଦଫା ଦାବିପତ୍ର ଦେଇଛନ୍ତି ତାକୁ ମୁଁ ସରକାରଙ୍କ ନିକଟକୁ ପଠାଇଦେଇଛି ବୋଲି ଜିଲ୍ଲାପାଳ ଶ୍ରୀ ସଚିନ ପାୱାର କହିଥିଲେ। ଅପରପକ୍ଷରେ ଛୋଟ ଧାନ କେତେ ପରିମାଣରେ ଅମଳ ହୋଇଛି ଓ କ୍ୟୁଣ୍ଟାଲ ପିଛା କେତେ ମୂଲ୍ୟରେ କିଏ କିଣୁଛି ବୋଲି ଚାଷୀ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ଏନେଇ ଯୋଗାଣ ବିଭାଗ କୌଣସି ଉତ୍ତର ଦେଇନପାରିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା।