କେସିଙ୍ଗା-୨୪/୧ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ବ୍ୟସ୍ତବହୁଳ ହୋଇଥିଲା ବେଳେ ସହର ମଧ୍ୟରେ ୨୬ ନମ୍ବର ଜାତୀୟ ରାଜପଥ ଯାଇଛି। ଏହି ରାଜପଥ ଦେଇ କଳାହାଣ୍ଡିର ପଡୋଶୀ ଜିଲ୍ଲା ସହିତ ଆମ ରାଜ୍ୟ ଓ ଅନ୍ୟାନ୍ୟ ରାଜ୍ୟର ଭାରିଯାନ, ବସ୍, କାର୍ ଆଦି ଦୂରଦୂରାନ୍ତ ସ୍ଥାନକୁ ଯାଇଥାଏ। ଅନ୍ୟପକ୍ଷେ ଏହି ରାସ୍ତା ଜାତୀୟ ରାଜପଥରେ ପରିଣତ ହେବା ଦିନଠାରୁ ଅନେକ ଧନଜୀବନ ନଷ୍ଟ ହେବାର ମଧ୍ୟ ନଜିର ରହିଛି। ଏପରିକି ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ତଥା ସାଧାରଣ ଲୋକେ ଚାଲି ଯିବାକୁ ନିରାପଦ ମଣୁନାହାନ୍ତି। ତେବେ ଏସବୁ ବିପଦ କେସିଙ୍ଗା ସହରରେ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ଯୋଗୁଁ ହେଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ତେଣୁ କେସିଙ୍ଗା ସହର ମଧ୍ୟରେ ଭାରିଯାନ, ବସ୍, କାର୍ ଆଦି ଯାତାୟତ ବନ୍ଦ କରି ସହର ବାହାରେ ଏକ ବାଇପାସ୍ ରାସ୍ତା ନିର୍ମାଣ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ଅପର ପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପଡା ଛକରେ ସିଗ୍ନାଲ ଲାଇଟ୍ ର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କିଛି ଅମାନିଆ ଲୋକ ଟ୍ରାଫିକ୍ ନିୟମ ନମାନି ଜୋରରେ ଗାଡି ଚଳାଇ ଯାଉଥିବା ଦେଖିବାକୁ ମିଳିଛି। ତେଣୁ ଜିଲ୍ଲା ପ୍ରଶାସନ ଏବଂ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ବିଭାଗ ଲୋକଙ୍କ ଧନଜୀବନ ସୁରକ୍ଷା ଲାଗି ତୁରନ୍ତ ଏକ ବାଇପାସ୍ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।