
କେସିଙ୍ଗା–୨୫/୧ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଏବଂ ଅଞ୍ଚଳର ବିକାଶ ପାଇଁ ଦୀର୍ଘବର୍ଷ ହେଲା ଅହରହ ସଂଘର୍ଷ ଜାରି ରଖିଛି କେସିଙ୍ଗା ସଚେତନ ନାଗରିକ ମଞ୍ଚ। ଗତ ଶୁକ୍ରବାର ମଞ୍ଚର ସଭାପତି ଉତ୍ତର ମହଲାଙ୍କ ନେତୃତ୍ୱରେ ଭୁବନେଶ୍ୱର ଗସ୍ତ କରି ବିଭିନ୍ନ ମୌଳିକ ସମସ୍ୟା ବିଷୟରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ଗତକାଲି ସଂଗଠନର କର୍ମକର୍ତ୍ତାମାନେ ପ୍ରଥମେ ପୂର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି କେସିଙ୍ଗା ସହର ତଥା ଅଞ୍ଚଳର ବିଭିନ୍ନ ବିକାଶ ଓ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ l ପରେ ଶ୍ରୀ ନାଏକଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି କେସିଙ୍ଗା ତଥା ଅଞ୍ଚଳର ବିକାଶ ପାଇଁ ଏକ ନଅ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ ସହ ଅନ୍ୟାନ୍ୟ ପ୍ରାସଙ୍ଗିକ ବିଷୟ ଉପରେ ମଧ୍ୟ ଆଲୋଚନା କରିଥିଲେ l ପରବର୍ତ୍ତୀ ସମୟରେ ଶ୍ରୀ ନାଏକଙ୍କ ନେତୃତ୍ୱରେ ଇଷ୍ଟ କୋଷ୍ଟ ରେଳ ଜୋନ୍ ଜେନେରାଲ ମ୍ୟାନେଜରଙ୍କୁ ମଧ୍ୟ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଥିଲା। ପ୍ରମୁଖ ଦାବିଗୁଡିକ ମଧ୍ୟରେ କେସିଙ୍ଗା ରେଲୱେ ଷ୍ଟେସନ ସହ ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ ଏକ ସିଧାସଳଖ ଟ୍ରେନ୍ ବ୍ୟବସ୍ଥା କରିବା, କେସିଙ୍ଗା- ଭବାନୀପାଟଣା ଭାୟା ଉତ୍କେଲା, ପାଷ୍ଟିକୁଡ଼ି ନୂତନ ରେଲୱେ ଲାଇନ ନିମନ୍ତେ ଆସନ୍ତା ରେଳ ବଜେଟରେ ଅର୍ଥ ମଞ୍ଜୁର କରିବା, କେସିଙ୍ଗା ସହର ମଧ୍ୟରେ ବୃଦ୍ଧି ପାଉଥିବା ଟ୍ରାଫିକ୍ ସମସ୍ୟା ଓ ଜନସାଧାରଣଙ୍କ ହିତ ଦୃଷ୍ଟିରୁ କନ୍ତେଶିରରୁ ଯୋଲକୋ ପର୍ଯ୍ୟନ୍ତ ଏକ ବାଇପାସ୍ ରାସ୍ତା ନିର୍ମାଣ, ଜୁନାଗଡ଼ରୁ କେସିଙ୍ଗା ପର୍ଯ୍ୟନ୍ତ ୨୬ ନମ୍ବର ଜାତୀୟ ରାଜପଥ ଚାରି ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣକୁ ଅମାଠ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡୀୟ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ରେଫେରାଲ ସେଣ୍ଟର ମାନ୍ୟତା ପ୍ରଦାନ ସହ ଟ୍ରମାସିଆ ସେଣ୍ଟର ସଂଲଗ୍ନ ଏକ ରକ୍ତ ଭଣ୍ଡାର ବ୍ୟବସ୍ଥା, ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ପ୍ରତି ବ୍ଲକରେ ଗୋଟିଏ ଲେଖାଏ ନର୍ସିଙ୍ଗ୍ କଲେଜ ପ୍ରତିଷ୍ଠା ପରିପ୍ରେକ୍ଷୀରେ କେସିଙ୍ଗାରେ ଏକ ନର୍ସିଙ୍ଗ କଲେଜ ସ୍ଥାପନା, ଯଥାଶୀଘ୍ର କେସିଙ୍ଗା ଏନଏସି କୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରଦାନ, ଅଞ୍ଚଳର ରୋଜଗାର ସୃଷ୍ଟି କରିବା ସହ ଅଞ୍ଚଳବାସୀଙ୍କ ପାଇଁ ଏକ ଲାଇଫ୍ ଲାଇନ୍ କୁହାଯାଇଥିବା କେସିଙ୍ଗା କୋଣାର୍କ ସୂତାକଳର ପୁନଃରୁଦ୍ଧାର ପାଇଁ ଆବଶ୍ୟକ ପାଣ୍ଠି ବ୍ୟବସ୍ଥା, କେସିଙ୍ଗା ସହରର ୱାର୍ଡ ନଂ ୧, ୨, ୭ ଏବଂ ୮ ରେ ଦେଖା ଦେଇଥିବା ପାନୀୟ ଜଳ ସମସ୍ୟାର ଦୂରୀକରଣ ପାଇଁ ବୋରିଙ୍ଗପଦର ଏବଂ ବଗାଡ଼ରେ ଗୋଟିଏ ଲେଖାଏ ଓଭର ହେଡ଼ ୱାଟର ଟ୍ୟାଙ୍କ ନିର୍ମାଣ, ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା, ତୁର୍ଲାଖମନ ନିକଟରେ ତେଲନଦୀ ଉପରେ ଏକ ବ୍ୟାରେଜ ସେତୁ ନିର୍ମାଣ ସହ ଟେଣ୍ଡର ହୋଇ ବାତିଲ ହୋଇଥିବା ପ୍ରକ୍ରିୟାକୁ ପୁନଃ ଟେଣ୍ଡର ବ୍ୟବସ୍ଥା ଏବଂ କେସିଙ୍ଗା ରେଲୱେ ଷ୍ଟେସନରେ ଥିବା ଆର୍ ଏମ୍ ଏସ୍ କାର୍ଯ୍ୟାଳୟ ବଲାଙ୍ଗୀର ସ୍ଥାନାନ୍ତରଣକୁ ବାତିଲ କରିବା ସହ କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲା ପାଇଁ ଏକମାତ୍ର କେସିଙ୍ଗା ଆର୍ ଏମ୍ ଏସ୍ କୁ ଇଂଟ୍ରା ସର୍କିଲ ହବ (ICH ) ର ମାନ୍ୟତା ପ୍ରଦାନ ଆଦି ପ୍ରମୁଖ ଦାବୀ ପୂରଣ ନିମନ୍ତେ ଅନୁରୋଧ କରାଯାଇଥିଲା l ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ସମୟରେ ସଂଗଠନର ସାଧାରଣ ସମ୍ପାଦକ ଟିକେମନ ଦୀପ, ଉପ ସଭାପତି ତଥା ପୂର୍ବତନ ନଗରପାଳ ଗୋବିନ୍ଦ ବନଛୋର, ରାମଜୀ ମାତଖଣ୍ଡିଆ ଓ ନଗରପାଳିକା ସରିତା ସିନ୍ଦୁର ଗୀତାଞ୍ଜଳି ବରିହା, ରାମଲାଲ ସୁନାନୀ, କାଉନସିଲର ଧରଣୀଧର ନାଏକ ଏବଂ ମୋହନ ନାଏକ ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।