କେସିଙ୍ଗା-୨୨/୩ ଶାସିତ ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ବିଷୟରେ କିମ୍ବା ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ନିଜ ଦଳ ସପକ୍ଷରେ ପ୍ରଚାର ପ୍ରସାର ପାଇଁ ହେଉ ଅବା କୈାଣସି ସରକାରୀ ଅଧିକାରୀ ନଚେତ କର୍ମଚାରୀ ଏବଂ ରାଜନେତାଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆସିଲେ ପ୍ରାୟତଃ ସେମାନେ ସାମ୍ବାଦିକ ସମ୍ମିଳନୀ କରି ନିଜର ମତ ରଖିଥାନ୍ତି। କିନ୍ତୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଚାଞ୍ଚେର ଓ ଉତ୍କେଳା ପଞ୍ଚାୟତର ପୂର୍ବତନ ପିଇଓ ଲମ୍ବୁ ଶିଖାଙ୍କ ନାମରେ ବହୁ ଦିନରୁ ପ୍ରମାଣିତ ମାଳମାଳ ଦୁର୍ନୀତି ଅଭିଯୋଗ ହୋଇଆସୁଥିଲା। ଶ୍ରୀ ଶିଖାଙ୍କ ନାମରେ ଗୁରୁତର ଅଭିଯୋଗ ଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ସାମ୍ବାଦିକ ସମ୍ମିଳନୀରେ ନିଜ ସପକ୍ଷରେ ମତ ନଦେଇ ଏକ ନିର୍ଦ୍ଦିଷ୍ଟ ଖବର କାଗଜର ସାମ୍ବାଦିକଙ୍କୁ ନିଜ ମତ ଦେଇ ପ୍ରସାରଣ କରିଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏ ବିଷୟରେ ଜନୈକ ଗଣମାଧ୍ୟମ ପ୍ରତିନିଧି ଗତକାଲି ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶଙ୍କୁ ପଚାରିବାରୁ ଜିଲ୍ଲାପାଳ ଶୀ ପ୍ରକାଶ କହିଥିଲେ ଯେ ତାଙ୍କ ବିରୋଧରେ ପ୍ରଥମେ ବିଭାଗୀୟ ତଦନ୍ତ କରାଯାଇ ଆତ୍ମସାତ ଟଙ୍କା ଭରଣା କରାଯିବ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।