
କେସିଙ୍ଗା – ୨୭/୬ ( ପ୍ରୀତେଶ ପଟେଲଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଆଜି ଘଟିଛି ଏକ ବଡ଼ ଅଘଟଣ। ମିଳିଥିବା ସୂଚନା ଅନୁଯାୟୀ ଟ୍ରେନ ନଂ – ୧୨୮୪୪ ଅମହଦାବାଦ୍ ରୁ ପୁରୀକୁ ଯାଉଥିବା ସୁପର ଫାଷ୍ଟ ଏକ୍ସପ୍ରେସ ପାଖାପାଖି ନିର୍ଦ୍ଧାରିତ ସମୟରେ କେସିଙ୍ଗା ରେଳ ଷ୍ଟେସନରେ ଆସି ପହଞ୍ଚିଥିଲା । କିନ୍ତୁ ଟ୍ରେନ ପହଞ୍ଚିବାର କିଛିକ୍ଷଣ ମଧ୍ୟରେ ଟ୍ରେନର ମଧ୍ୟ ଭାଗରେ ଥିବା ଏସ୍ -୧ କୋଚ୍ ରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଜାଣିପାରି ଟ୍ରେନରେ ଥିବା ଯାତ୍ରୀମାନେ ଭୟରେ ଟ୍ରେନରୁ ଇଆଡେ ସିଆଡେ ପଳାୟନ କରିଥିଲେ । ଉକ୍ତ ବିଷୟରେ ଖବର ପାଇ କେସିଙ୍ଗା ରେଳ ଷ୍ଟେସନ ମ୍ୟାନେଜର ଶ୍ରୀ ପ୍ରଶାନ୍ତ ଭୋଇ ଆରପିଏଫ ଯବାନଙ୍କ ସହାୟତାରେ ନିଆଁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ ଏବଂ ଟ୍ରେନର ହଜାର ହଜାର ଯାତ୍ରୀ ଅଳ୍ପକେ ରକ୍ଷା ପାଇ ଯାଇଥିଲେ । ପରେ ଟ୍ରେନଟି ୪୦ ମିନିଟ୍ ବିଳମ୍ବରେ ପୁଣି ସ୍ଵାଭାବିକ ରୂପେ ନିଜ ଗନ୍ତବ୍ୟସ୍ଥଳୀ ପୁରୀ ଯାତ୍ରା ଆରମ୍ଭ କରିଥିଲା । ଟ୍ରେନରେ ହଠାତ୍ କେମିତି ନିଆ ଲାଗିଲା କିଛି ଜଣାପଡ଼ିନଥିବା ବେଳେ ତାହାର ତଦନ୍ତ ଜାରି ରହିଥିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।