ଭବାନୀପାଟଣା – ୨୬/୬ କଳାହାଣ୍ଡି ଜିଲ୍ଲା ବଣ ପାହାଡ ଘେରା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ବ୍ଲକ ଅଞ୍ଚଳ ହୋଇଥିବାରୁ ଆଇଟିଡିଏ ବିଭାଗ ଦ୍ବାରା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଚାଲିଛି। ଏହାଦ୍ବରା ଜିଲ୍ଲାର ଅନ୍ୟ ବ୍ଲକ ତୁଳନାରେ ଏହି ବ୍ଲକକୁ ଦୁଇ ଗୁଣା ଅନୁଦାନ ଆସିଥାଏ। ହେଲେ ବିଭାଗୀୟ ଉଦାସୀନତା, ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଓ ଜନସାଧାରଣ ରେ ସଚେତନତା ଅଭାବ ଯୋଗୁଁ ଅଞ୍ଚଳରେ ବିକାଶ କାର୍ଯ୍ୟ ଆଶାନୁରୂପ ହେବାରେ ବିଫଳ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଲାଞ୍ଜିଗଡ ବ୍ଲକ କଦମଗୁଡା ଗ୍ରାମ ପଞ୍ଚାୟତର ରେଢାପଦର ଗ୍ରାମରେ ପ୍ରାୟ ୨୦୦ ଲୋକ ବସବାସ କରନ୍ତି। କିନ୍ତୁ ରେଢାପଦର ଗ୍ରାମବାସୀ ଅନ୍ୟ ଗ୍ରାମକୁ ଯିବାକୁ ହେଲେ ଏକ ନାଳକୁ ଅତିକ୍ରମ କରି ଯିବାକୁ ପଡେ। ହେଲେ ବର୍ଷା ଦିନରେ ଏହି ନାଳ ଅତିକ୍ରମ କରିବାକୁ ଗାଁ ଲୋକେ ନାହିଁନଥିବା ଅସୁବିଧା ଭୋଗ କରିବାକୁ ପଡିଥାଏ। ତେବେ ଅଞ୍ଚଳବାସୀଙ୍କ ବହୁ ଦାବିକ୍ରମେ ପୂର୍ବ ବିଜେଡି ସରକାର ୪ ବର୍ଷ ତଳେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିଲେ। କିନ୍ତୁ ଠିକାଦାରଙ୍କ ଅବହେଳା ଓ ବିଭାଗୀୟ ଉଦାସୀନତା ଯୋଗୁଁ ୪ବର୍ଷ ତଳେ ଆରମ୍ଭ ହୋଇଥିବା ପୋଲ କାମ ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବାରୁ ରେଢାପଦର ଗ୍ରାମବାସୀ ବର୍ଷାଦିନେ ଜଳବନ୍ଦୀ ଅବସ୍ଥାରେ କାଳାତିପାତ କରନ୍ତି। ତେବେ ଏହିପରି ବିଭାଗୀୟ କର୍ତ୍ତପକ୍ଷ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ଏଥିପ୍ରତି ସରକାର ଦୣଷ୍ଟି ଦେବା ସହ ଦୣଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।