କେସିଙ୍ଗା-୨୧/୩ ବଲାଙ୍ଗିର ଜିଲ୍ଲା ଆଗଲପୁର ଓ ଭରସୁଜା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କ ତଥ୍ୟ ଆଧାରରେ ୨ ମହିଳା ସରପଞ୍ଚ ଦୁର୍ନୀତି ଅଭିଯୋଗରେ ସସପେଣ୍ଡ ହୋଇଥିଲା ବେଳେ ନିକଟରେ ଏହି ପଞ୍ଚାୟତର ନିର୍ବାହୀ ଅଧିକାରୀ ଗିରଫ ହୋଇ ଜେଲରେ ଅଛନ୍ତି। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି କଳାହାଣ୍ଡି ଜିଲ୍ଲା ଚାଞ୍ଚେର ଓ ଉତ୍କେଳା ପଞ୍ଚାୟତରେ ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ବ୍ଲକ୍ ପ୍ରଶାସନର ତଦନ୍ତରୁ ଜଣାପଡ଼ିଥିଲେ ମଧ୍ୟ ଏମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ କେବେ ? ଏଠାରେ ଉଲ୍ଲେଖଯୋଗ୍ୟ ୨୦୨୨-୨୩ ରୁ ୨୦୨୪ ସେପ୍ଟେମ୍ବର ଯାଏ ଏହି ଦୁଇ ପଞ୍ଚାୟତ ର ପିଇଓ ଭାବେ ଲମ୍ବୁ ଶିଖା କାର୍ଯ୍ୟରତ ଥିଲାବେଳେ ଉତ୍କେଳା ସରପଞ୍ଚଙ୍କ ସହ ମିଳିତ ଭାବେ ଚେକ୍ ମାଧ୍ୟମରେ ୭୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଉଠାଣ କରିଥିବା ବେଳେ ଚାଞ୍ଚେର ପଞ୍ଚାୟତର ସରପଞ୍ଚଙ୍କ ସହ ମିଶି ୮୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଉଠାଣ କରିଛନ୍ତି। କିନ୍ତୁ ସିଏଫସି ଓ ଏସଏଫସି ଗାଇଡ ଲାଇନ ଅନୁସାରେ ଶ୍ରମିକମାନଙ୍କୁ ପିଏଫଏମ୍ଏସ୍ ଅନଲାଇନ ମାଧ୍ୟମରେ ପେମେଣ୍ଠ କରାଯିବା କଥା। କିନ୍ତୁ ପିଇଓ ଶ୍ରୀ ଶିଖା ଦୁଇ ପଞ୍ଚାୟତର ସରପଞ୍ଚଙ୍କ ମିଶି ଚେକ୍ ମାଧ୍ୟମରେ ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଉଠାଣ କରିବା ସନ୍ଦେହ ଘେରକୁ ଆସିଛି। ଅପରପକ୍ଷରେ ସରକାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପଞ୍ଚାୟତ ଗୁଡ଼ିକୁ ସିଧାସଳଖ ଅନୁଦାନ ପ୍ରଦାନ କରୁଥିବା ବେଳେ ଏହି ଆର୍ଥିକ ପରିଚାଳନା ପାଇଁ ପିଇଓ ଏବଂ ସରପଞ୍ଚଙ୍କ ମିଳିତ ଦସ୍ତଖତରେ ବ୍ୟାଙ୍କରୁ ଟଙ୍କା ଉଠାଣର ବ୍ୟବସ୍ଥା ରହିଛି। ହେଲେ ଏହି ଦୁଇ ପଞ୍ଚାୟତର ଆର୍ଥିକ ପରିଚାଳନାରେ କ୍ୟାସ୍ ବୁକ୍ ଓ ପାସ୍ ବୁକ୍ ମଧ୍ୟରେ ବ୍ୟାପକ ତାଳମେଳ ରହିନଥିବା ବ୍ଲକ ଫାଇନାନ୍ସ ଅଫିସର ଓ ଭାରପ୍ରାପ୍ତ ଏଇଇଙ୍କ ମିଳିତ ତଦନ୍ତରୁ ଜଣାପଡିଛି। ଅନ୍ୟପକ୍ଷେ ଏହି ଦୁର୍ନୀତିକୁ ନେଇ ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ ପୂର୍ବତନ ପିଇଓ ଲମ୍ବୁ ଶିଖାଙ୍କୁ ଗତ ଫେବୃଆରୀ ୧୨ ତାରିଖରେ କାରଣ ଦର୍ଶାଅ ନୋଟିସ୍ ଜାରି କରି ୧୫ ଦିନ ଭିତରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜିଯାଏ କୈାଣସି କାର୍ଯ୍ୟାନୁଷ୍ଠାନ ନେଲେ କି ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠାରେ ସ୍ମରଣଯୋଗ୍ୟ ଗତ ତା.୧୭.୦୯.୨୦୨୪ ରିଖରେ ଚାଞ୍ଚେର ସରପଞ୍ଚଙ୍କ ନେତୃତ୍ବରେ ଅନ୍ୟାନ୍ୟ ଜନପ୍ରତିନିଧି ମାନେ ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟକଳାପ ଏବଂ ଦୁର୍ନୀତି ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ଦାବୀରେ ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଦେବା ଏବେ ତାଙ୍କ ପାଇଁ ବୁମେରାଂ ହେଲାଣି।