ଲଇତରା ଉଚ୍ଚ ବିଦ୍ୟାମନ୍ଦିର ଖର୍ଚ୍ଚ ବିବରଣୀରୁ ଧରା ପଡିଲା ଆର୍ଥିକ ପରିଚାଳନା ରେ ଅନିୟମିତତା

କେସିଙ୍ଗା- ୧/୪ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ପଞ୍ଚାୟତର ଲଇତରା ଉଚ୍ଚ ବିଦ୍ୟାମନ୍ଦିରର ଖର୍ଚ୍ଚ ବିବରଣୀରୁ ଧରାପଡିଛି ଆର୍ଥିକ ଅନିୟମିତତା। ସୂଚନାଯୋଗ୍ୟ ବିଗତ ରାଜ୍ୟ ସରକାର ୨୦୨୦ ମସିହାରେ ରାଜ୍ୟର ସମସ୍ତ ହାଇସ୍କୁଲ ଗୁଡ଼ିକୁ ୫ଟି ରୂପାନ୍ତରିତ ଯୋଜନାରେ ସାମିଲ କରି ଏହାର ରୂପରେଖ ବଦଳାଇବା ଆରମ୍ଭ କରିଥିଲେ। ତେବେ ବିଶେଷ ସୂତ୍ରରୁ ଜଣାଯାଏ ଯେ ବର୍ତ୍ତମାନ ସୁଦ୍ଧା ୫ଟି ରୂପାନ୍ତରିତ ଯୋଜନାରେ ଅନେକ ସ୍କୁଲରେ କାମ ଚାଲିଛି । ଏଥିପାଇଁ ପୂର୍ବ ସରକାର ୫ ଟି ଫେଜ୍ ରେ ଅନୁଦାନ ମଞ୍ଜୁର କରିଥିଲେ। କିନ୍ତୁ ୩ ୟ ଓ ୪ ର୍ଥି ଫେଜ୍ ରେ କାମ ହୋଇଥିବା କେସିଙ୍ଗା ବ୍ଲକର ଲଇତରା ଉଚ୍ଚ ବିଦ୍ୟାମନ୍ଦିରରେ ଆର୍ଥିକ ଅନିୟମିତତା ହୋଇଥିବା ଜାଣିବାକୁ ମିଳିଛି। ଏକ ସୂଚନା ଅଧିକାର ଆଇନ ତଥ୍ୟରୁ ଜଣାପଡିଛି ଯେ ବେଟ୍ରା ଓ ଇନଭେଟର୍ କିଣାରେ ୫୯ ହଜାର ୩୦୦ ଟଙ୍କା ହେରଫେର ହୋଇଛି। ଏହାର ବିଲ୍ ନଂ ୯୧୮/ ତା.୨୩. ୬. ୨୦୨୩ ଥିଲାବେଳେ, ଏଥିରେ ୧୨ଭୋଲ୍ଟ ଓ ୨୮ ପ୍ଲେଟ୍ ର ଗୋଟିଏ ଲିଭ୍ ଗାର୍ଡ ବେଟ୍ରା, ଗୋଟିଏ ୧୫୫୦ ଭି. ଏ. ର ଇନଭେଟର୍ ୟୁପିଏସ୍ ଓ ଗୋଟିଏ ବେଟେରୀ ଟ୍ରଲି କିଣାଯାଇଥିବା ଉଲ୍ଲେଖ ରହିଛି। ଏହାର ସମୁଦାୟ ମୂଲ୍ୟ ୩୨ ହଜାର ଟଙ୍କା ରହିଛି। କିନ୍ତୁ ଉକ୍ତ ବ୍ୟବସାୟୀଙ୍କୁ ଚେକ୍ ମାଧ୍ୟମରେ ୩୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି ଚେକ୍ ନଂ ୭୬୬୦୧୫୨୦୨ : ୦୦୦୩୮୯/ ତା. ୨୯.୮. ୨୦୨୩ ଥିବାବେଳେ ଲଇତରା ଉଚ୍ଚ ବିଦ୍ୟାମନ୍ଦିରର ଖର୍ଚ୍ଚ ବିବରଣୀରେ ୯୧ ହଜାର ୩୦୦ ଟଙ୍କା ଦର୍ଶାଯାଇଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଏହି ହାଇସ୍କୁଲ ୫ଟି ରୂପାନ୍ତରିତକରଣ ଲାଗି ପୂର୍ବ ରାଜ୍ୟ ସରକାର ମଞ୍ଜୁର କରିଥିବା ୪୫ ଲକ୍ଷ ଟଙ୍କା ମଧ୍ୟରୁ ସ୍କୁଲ କର୍ତ୍ତୃପକ୍ଷ ପ୍ରାୟ ଅର୍ଦ୍ଧାଧିକ ଟଙ୍କା ହେରଫେର କରିଥିବା ଅନୁମାନ କରାଯାଉଛି। ଏଣୁ ଭିଜିଲାନ୍ସ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *