
କେସିଙ୍ଗା- ୩୦/୩ କଳାହାଣ୍ଡି ଜିଲ୍ଲା ଶ୍ରମ ବିଭାଗ ପ୍ରଚେଷ୍ଟାରେ ୫୬ ଜଣ ଦାଦନ ଶ୍ରମିକଙ୍କୁ ତାମିଲନାଡୁରୁ ଉଦ୍ଧାର ହୋଇ ନିଜ ଘରକୁ ଫେରିଛନ୍ତି। ସୂଚନାରୁ ପ୍ରକାଶ ଯେ ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁ ରୁ ୫୬ ଜଣ ଦାଦନ ଶ୍ରମିକ ତାମିଲନାଡୁର ପେରାମ୍ବୁର ଠାରେ ଏକ ଇଟାଭାଟିରେ କାମ କରିବା ପାଇଁ କଣ୍ଟାବାଞ୍ଜିର ଆକବର ଖାନ୍ ନାମକ ଜଣେ ଦଲାଲ ମାର୍ଫତରେ ଯାଇଥିଲେ। ହେଲେ ସେଠାକାର ଇଟାଭାଟି ମାଲିକ ଦାଦନ ଶ୍ରମିକ ମାନଙ୍କୁ ଦିନକୁ ୧୫/୧୬ ଘଣ୍ଟା ଖଟାଉଥଲା। ତଥାପି ଇଟାଭାଟି ମାଲିକ ଅନେକ ସମୟରେ ଏମାନଙ୍କୁ ମାରପିଟ୍ କରୁଥିବା ଶ୍ରମିକ ଲକ୍ଷ୍ମଣ ବାଗ ପ୍ରକାଶ କରିଛନ୍ତି । ମାଲିକର ନିର୍ଯ୍ୟାତନା ସହିନପାରି କେତେକ ଶ୍ରମିକ ୟୁଟୁବ୍ ଦେଖି ଶ୍ରମ ବିଭାଗର ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରି ସେମାନଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ । ଖବର ପାଇଲା ପରେ ଜିଲ୍ଲା ଶ୍ରମ ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚି ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରି ଓଡିଶା ପଠାଇଛନ୍ତି । ୫୬ ଜଣ ଦାଦନ ଶ୍ରମିକ ଟ୍ରେନ ଯୋଗେ ଆସି ଆଜି ସନ୍ଧ୍ୟାରେ କେସିଙ୍ଗା ଷ୍ଟେସନରେ ପହଞ୍ଚିଥିଲେ । ଷ୍ଟେସନରେ ଜିଲ୍ଲା ଶ୍ରମ ଅଧିକାରୀ ଜିତମ୍ ମାଝୀ, ଅତିରିକ୍ତ ନିର୍ବାହୀ ଅଧିକାରୀ ପ୍ରେମଚାନ୍ଦ ମାଳୀ, ରେଳ ସୁରକ୍ଷା ବଳୟର ରାହୁଲ ୟାଦବ, ଶ୍ରମ ବାହିନୀ ସଭାପତି ଝସକେତନ ବାଗ, ଅର୍ଣ୍ଣପୂର୍ଣ୍ଣା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଅନୀଲ କୁମାର ସାହୁ, ବିଡିଏସଡବ୍ଲୁ ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ପ୍ରମୁଖ ଷ୍ଟେସନରେ ଉପସ୍ଥିତ ଥିଲେ । ଏମାନଙ୍କୁ ଗାଡି ଯୋଗେ ନିଜ ନିଜ ଗ୍ରାମକୁ ପଠେଇ ଦିଆଯାଇଛି । ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ଏମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି ।