କେସିଙ୍ଗା-୫/୭ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ସଚେତନ ନାଗରିକ ମଞ୍ଚ, କେସିଙ୍ଗା ପକ୍ଷରୁ ୧୦ଟି ଦାବି ସରକାର ତଥା ପ୍ରଶାସନ ନିକଟରେ ଉପସ୍ଥାପନ କରିଥିଲା। ଏହି ଦାବିଗୁଡିକ ପୂରଣ ନ ହେବାରୁ ଗତ ମାସ ୧୮ ତାରିଖ ଠାରୁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଆରମ୍ଭ କରିଥିଲା ବେଳେ ଆଜି ତାହା ୧୮ ଦିନ ପରେ ପ୍ରତ୍ୟାହୣତ ହୋଇଛି। ତେବେ ଆନ୍ଦୋଳନ ର କିଛି ଦିନ ପରେ ବିଡିଓ ଜନ୍ମେଜୟ ସ୍ବାଇଁ, ତହସିଲଦାର ପ୍ରଶାନ୍ତି ପ୍ରଧାନ ଓ ଭବାନୀପାଟଣା ଉପ ଜିଲ୍ଲାପାଳ ପ୍ରଭାତ ପରିଡା ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ଆଜି କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଧାରଣା ସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ପ୍ରକାଶ ଆନ୍ଦୋଳନକାରୀଙ୍କୁ କହିଥିଲେ ଯେ ଆପଣମାନଙ୍କ ଦାବିଗୁଡିକ ଉପରେ ଜିଲ୍ଲା ପ୍ରଶାସନ ତରଫରୁ ସରକାରଙ୍କୁ ରିପୋର୍ଟ କରାଯାଇଛି। ତେଣୁ ଆପଣମାନେ ଆନ୍ଦୋଳନ ପ୍ରତ୍ୟାହାର କରନ୍ତୁ ବୋଲି କହିଥିଲେ। ହେଲେ ସମସ୍ତ ଦାବିର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହୃତ ହେବ ନାହିଁ ବୋଲି ସଚେତନ ନାଗରିକ ମଞ୍ଚର ସଭାପତି ଜିଲ୍ଲାପାଳଙ୍କୁ କହିଥିଲେ । ତେବେ ଜିଲ୍ଲାପାଳଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର କରାଗଲା ବୋଲି ଜିଲ୍ଲାପାଳଙ୍କ ଉପସ୍ଥିତିରେ ସଚେତନ ନାଗରିକ ମଞ୍ଚର ସଭାପତି ଘୋଷଣା କରିଥିଲେ । ଏହି ଆଲୋଚନା ସମୟରେ କଳାହାଣ୍ଡି ଜିଲ୍ଲାପାଳ, ଭବାନୀପାଟଣା ଉପ ଜିଲ୍ଲାପାଳ, କେସିଙ୍ଗା ବିଡିଓ, ତହସିଲଦାର, ଏନ୍ଏସି ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, କେସିଙ୍ଗା ଆଦର୍ଶ ଥାନା ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ରଙ୍କ ସହିତ ସଚେତନ ନାଗରିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।