କେସିଙ୍ଗା-୪/୭ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ପଞ୍ଚାୟତର କୋକୋଡ଼ମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତରୁ ବର୍ଷା ପାଣି ଗଳୁଥିବାରୁ ଛାତ୍ରଛାତ୍ରୀମାନେ ଗତକାଲି ସ୍କୁଲ ବାରଣ୍ଡାରେ ବସି ଅଧ୍ୟୟନ କରୁଥିବା ଦେଖିବାକୁ ମିଳିଥିଲା। ୧୯୮୧ରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ୨୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଦୁଇଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଲଘୁଚାପ ଜନିତ ବର୍ଷାରେ ଶ୍ରେଣୀ ଗୃହ, ରୋଷେଇ ଘର, କାର୍ଯ୍ୟାଳୟ ଓ ଗୋଦାମରେ ପାଣି ଗଳୁଛି। ସ୍କୁଲ ଛାତରୁ ସିମେଣ୍ଟ ଖଣ୍ଡ ଖସୁଛି। ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ପିଲାଙ୍କୁ ସ୍କୁଲ ବାରଣ୍ଡାରେ ବସାଇ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଏହି ସମସ୍ୟା ନେଇ ପୂର୍ବରୁ ସ୍କୁଲ ଶିକ୍ଷା କମିଟି ସଭାପତି, ଅଭିଭାବକ ବିଡ଼ିଓ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ପୁନଶ୍ଚ ବର୍ଷାଜନିତ ସମସ୍ୟା ନେଇ ପ୍ରଧାନ ଶିକ୍ଷକ ଶରତ ମାଝୀଙ୍କ ସମେତ ଅଭିଭାବକଙ୍କଠାରୁ ଖବର ପାଇ ସିଆର୍ସିସି ଆଶୁତୋଷ ଭୋଇ ସ୍କୁଲ ପରିଦର୍ଶନରେ ଆସିଥିଲେ। ସେ ଏହି ସମସ୍ୟା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରକାଶ କରିଥିଲେ। ବିଇଓ ଆନନ୍ଦ କୁମାର ବେହେରାଙ୍କୁ ପଚାରିବାରୁ ସେ ବିଡ଼ିଓଙ୍କ ସହ ଆଲୋଚନା କରି ଶୀଘ୍ର ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯିବ ଏବଂ ନୂଆ କୋଠା ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।