କେସିଙ୍ଗା- ୨୫/୩ ପୂର୍ବ ବିଜେଡି ସରକାର ୨୦୨୧-୨୨ ରେ ହାଇସ୍କୁଲ ଗୁଡିକ ୫ଟି ରୂପାନ୍ତରିତ ସ୍କିମ୍ ରେ ସ୍କଲଗୃହ ଚକାଚକା କରି ବାହାବା ନେଇଥିଲେ। ସ୍କୁଲଗୁଡ଼ିକ ଚକାତକ୍ କରିବାରେ ଯେଉଁ ଚିତ୍ରଶିଳ୍ପୀ ଓ ଶ୍ରମିକମାନଙ୍କ ଅବଦାନ ରହିଛି, ସେମାନଙ୍କୁ ଆଜିଯାଏ ସମ୍ପୂର୍ଣ୍ଣ ପ୍ରାପ୍ୟ ମିଳିନଥିବା ଅଭିଯୋଗ କରିଛନ୍ତି। ସୂଚନାରୁ ପ୍ରକାଶ ଯେ ୨୦୨୧-୨୨ ରେ ପ୍ରଥମ ପର୍ଯ୍ୟାୟରେ କେସିଙ୍ଗା ବ୍ଲକର କେତୋଟି ସ୍କୁଲର ୫ଟି ସ୍କିମ୍ ରେ ରୂପାନ୍ତରିତକରଣ କରାଯାଇଥିଲା। ସେଥିମଧ୍ୟରେ କେସିଙ୍ଗା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ , କେସିଙ୍ଗା ବିଦ୍ୟାପୀଠ, କନ୍ତେଶିର ହାଇସ୍କୁଲ , କାଣ୍ଡେଲ ହାଇସ୍କୁଲ ଓ ଦେଓଗାଁ ହାଇସ୍କୁଲ ଗୁଡିକ ଥିଲା। ଏହିସବୁ ସ୍କୁଲରେ ରଙ୍ଗ ଲଗାଇବା ଓ ଚିତ୍ରାଙ୍କନ ପାଇଁ ଲଇତରା ପଞ୍ଚାୟତର ଦେଣ୍ଡୋଗୁଡା ଗ୍ରାମର ସରୋଜ ବିଶି ଦାୟିତ୍ବ ପାଇଥିଲେ। ଏଥିପାଇଁ ଶ୍ରୀ ବିଶି ରଙ୍ଗ କିଣିବା ସହିତ ୧୦ ଜଣ ଶ୍ରମିକଙ୍କୁ ନିୟୋଜିତ କରିଥିଲେ। ତେବେ ଚିତ୍ରଶିଳ୍ପୀ ଶ୍ରୀ ବିଶି କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ୫୦ ହଜାର ଟଙ୍କାର ବିଲ୍ ଦେଇଥିଲା ବେଳେ ତାଙ୍କୁ ଆଜିଯାଏ ଏକ ପଇସା ବି ପ୍ରାପ୍ୟ ମିଳିନାହିଁ। ସେହିପରି କେସିଙ୍ଗା ବିଦ୍ୟାପୀଠରେ ରଙ୍ଗ ଲଗାଇବା ଓ ଚିତ୍ରାଙ୍କନ ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କାର ବିଲ୍ ଦିଆଯାଇଥିଲା ବେଳେ ମାତ୍ର ୬୦ ହଜାର ଟଙ୍କା ମିଳିବା, କନ୍ତେଶିର ହାଇସ୍କୁଲ ପାଇଁ ୧ ଲକ୍ଷ ଟଙ୍କାର ବିଲ୍ ଦେଇଥିବା ବେଳେ ୩୦ ହଜାର ଟଙ୍କା ମିଳିବା, କାଣ୍ଡେଲ ହାଇସ୍କୁଲକୁ ୧ ଲକ୍ଷ ୪୪ ହଜାର ଟଙ୍କାର ବିଲ୍ ଦେଇଥିବା ବେଳେ ମାତ୍ର ୪୦ ହଜାର ଟଙ୍କା ମିଳିବା ଓ ଦେଓଗାଁ ହାଇସ୍କୁଲରେ ରଙ୍ଗ ଲଗାଇବା ଓ ଚିତ୍ରାଙ୍କନ ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କାର ବିଲ୍ ଦେଇଥିବା ବେଳେ ମିଳିଛି ମାତ୍ର ୩୦ ହଜାର ଟଙ୍କା ବୋଲି ଚିତ୍ରଶିଳ୍ପୀ ସରୋଜ ବିଶିଙ୍କ ଠାରୁ ପ୍ରକାଶ। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଶ୍ରୀ ବିଶି ନିବେଦନ କରିଛନ୍ତି।