ଧର୍ମଗଡ-୩୦/୩ ( ହୃଷୀକେଶ ମିଶ୍ର ) ଭୂମିହୀନ ଏବଂ କଂଚା ଘରେ ରହୂଥିବା ଲୋକଙ୍କୂ ପକ୍କାଘର ଯୋଗାଇ ଦେବା ଲକ୍ଷରେ ରାଜ୍ୟ ବିଜେପି ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାର ଚଳିତ ବଜେଟରେ ଅନ୍ତୋଦୟ ଗୃହ ଯୋଜନା ନାମକ ଏକ ଯୁଗାନ୍ତକାରୀ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି।
ରାଜ୍ୟ ସରକାର ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ପ୍ରତ୍ୟେକ ଯୋଗ୍ୟ ପରିବାରକୁ ଏକ ପକ୍କାଘର ଯୋଗାଇ ଦେବା ପାଇଁ ଲକ୍ଷ ରଖିଛନ୍ତି। ଆସନ୍ତା ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଯୋଗ୍ୟ ପରିବାରକୁ ଯୋଗାଇ ଦେବାକୁ ଲକ୍ଷ୍ୟ ରହିଛି। ଏଥିପାଇଁ ଚଳିତ ବଜେଟରେ ୨୬୦୩ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି।
ଏହି ଯୋଜନା ମାଧ୍ୟମରେ ସରକାର କେବଳ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରୁନାହାନ୍ତି ବରଂ ଯଦି ସେମାନେ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରନ୍ତି, ତେବେ ତାଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ।
ଯେଉଁମାନେ କେନ୍ଦ୍ରୀୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇ ପାରୁନାହାନ୍ତି ଏବଂ ସ୍ବଳ୍ପ ଆୟକାରୀ ହୋଇଥିବେ ସେହି ପରିବାରକୁ ମାଗଣାରେ ଘର ଯୋଗାଇ ଦିଆଯିବ। ଘର ନିର୍ମାଣ ନିଶ୍ଚିତ ଭାବରେ ଅତି କମ୍ ରେ ୨୫ ବର୍ଗଫୁଟ କାର୍ପେଟ କ୍ଷେତ୍ର ମଧ୍ୟରୁ ରୋଷେଇ ଘର ଓ ଶୈ।ଚାଳୟ କ୍ଷେତ୍ରକୁ ବାଦ୍ ଦିଆଯିବ।
ଏହି ଯୋଜନାରେ ଘର ଯୋଗାଇ ଦେବା ପାଇଁ ସରକାର ଏକ ସର୍ଭେ କରୁଛନ୍ତି ଏବଂ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଛଡାଯାଇଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରାଯାଉଛି। ସର୍ବେକ୍ଷଣ ସମୟରେ ହିତାଧିକାରୀ ମାନେ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଥିବା ମାନଦଣ୍ଡ ପୂରଣ କରୁଛନ୍ତି କି ନାହିଁ ତାହା କର୍ତ୍ତୃପକ୍ଷ ଯାଞ୍ଚ କରିବେ। ଏହି ଯୋଜନା ସମ୍ବନ୍ଧରେ ବୁଝିବା ପାଇଁ ହିତାଧିକାରୀ ମାନେ ପଞ୍ଚାୟତ ସହିତ ଯୋଗାଯୋଗ କରିପାରିବେ କିମ୍ବା ବ୍ଲକ କାର୍ଯ୍ୟାଳୟ ନଚେତ୍ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ।
ଗ୍ରାମୀଣ ହାଉସିଂ ପୋର୍ଟାଲରେ ମଧ୍ୟ ହିତାଧିକାରୀଙ୍କ ତାଲିକା ଅନଲାଇନରେ ମଧ୍ୟ ଯାଞ୍ଚ କରାଯାଇ ପାରିବ।