
କେସିଙ୍ଗା ୧୩/୭ ଜାମୁକାଶ୍ମୀର ପହଲଗାମ ଠାରେ ଆତଙ୍କବାଦୀଙ୍କ ହତ୍ୟା ଘଟଣା ପରେ କେନ୍ଦ୍ର ସରକାର ନାଗରିକଙ୍କ ସୁରକ୍ଷା ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣୁ ବିଭିନ୍ନ ରାଜ୍ୟରେ ରହିଥିବା ଅନୁପ୍ରବେଶକାରୀ ମାନଙ୍କୁ ଚିହ୍ନଟ କରି ନିଜ ଦେଶକୁ ବିତାଡିତ କରୁଛନ୍ତି। ଏହି ପ୍ରକ୍ରିୟାରେ ଆମ ଦେଶରେ ଉତ୍ତରପ୍ରଦେଶ, ଦିଲ୍ଲୀ, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ, ଗୁଜରାଟ, ଆସାମ, ଉତ୍ତରାଖଣ୍ଡ ଆଦି ରାଜ୍ୟର ମୁଖିଆ ତଥା ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛନ୍ତି। ସେହିପରି ଆମ ରାଜ୍ୟ ସରକାର ଓଡିଶାରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଏମାନଙ୍କ ବିରୁଦ୍ଧରେ ଦୣଢ ପଦକ୍ଷେପ ନେବାକୁ ମଧ୍ୟ ଘୋଷଣା କରିଥିଲେ। କିନ୍ତୁ ଘୋଷଣା କେବଳ ଘୋଷଣା ରେ ହିଁ ସୀମିତ ରହିଯାଇଛି। ଯେଉଁମାନେ ଅନ୍ୟ ରାଜ୍ୟରୁ ତଢା ଖାଉଛନ୍ତି ସେମାନେ ଏବେ ଓଡିଶା ମୁହାଁ କାରଣ ଓଡିଶା ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇଛି। ସେମାନେ ଜାଣିଛନ୍ତି ଯେ ଏଠିକାର ପ୍ରଶାସନିକ ଅଧିକାରୀମାନେ ଅଳସୁଆ ଓ ସ୍ଥାଣୁ। ଏଣୁ ସମଗ୍ର ଓଡିଶା ସହିତ କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ସହରରେ ଏମାନଙ୍କ ସଂଖ୍ୟା ବୣଦ୍ଧି ପାଇବାରେ ଲାଗିଥିଲା ବେଳେ କିଏ ଭଡା ଘରେ ରହୁଛି ତ କିଏ ତମ୍ବୁ ପକାଇ ରହୁଛି। ପୁନଃ କିଏ ବାଇକ୍ ରେ ବୁଲି ଫେରିବାଲା , ଆଲୁମିନିୟମ୍ କଂସା ବାସନ, ପ୍ଲାଷ୍ଟିକ ବେପାର କରୁଛି ତ ଆଉ କିଏ ଲୁଗାପଟା ବେପାର ଓ ପ୍ରେସର କୁକର, ଗ୍ୟାସଚୁଲା ଏବଂ ବିଦ୍ୟୁତ ସରଞ୍ଜାମ ମରାମତି କାମ କରୁଛି। ଏମାନେ ପ୍ରତ୍ୟେକ ଦିନ ସକାଳ ହେଲେ ଗୋଟିଏ ବାଇକ୍ ଧରି ଏସବୁ ସାମଗ୍ରୀ ଧରି ଗ୍ରାମାଞ୍ଚଳକୁ ଯାଉଛନ୍ତି ଓ ହଜାର ହଜାର ଟଙ୍କାର ବେପାର କରି ଫେରୁଛନ୍ତି। ଏମାନେ ମଧ୍ୟ ସାଧାରଣ କିମ୍ବା ଲୋକାଲ୍ ନିର୍ବାଚନ ପ୍ରଭାବିତ କରିବାର ସମ୍ଭାବନା ରହିଛି। କାରଣ ବେଆଇନ ଆଧାରକାର୍ଡ ଓ ଭୋଟର କାର୍ଡ ମଧ୍ୟ ନିଜ ନାମରେ କରି ନେଇଛନ୍ତି। ଏସବୁ ବେଆଇନ କାମ କରିବା ପାଇଁ କିଛି ସ୍ଥାନୀୟ ମୁଷ୍ଟିମେୟ ଲୋକ ନିଜ ସ୍ବାର୍ଥ ହାସଲ ପାଇଁ କରିଥିବା ସାଧାରଣରେ ଆଲୋଚନା ହେଉଛି। ବର୍ତ୍ତମାନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବିହାର ରେ ଏକ ବଡ ଇସ୍ୟୁ ହୋଇଥିଲା ବେଳେ ଆଗାମୀ ଦିନରେ ଓଡିଶା ପାଇଁ ମଧ୍ୟ ସମସ୍ୟା ହୋଇପାରେ। ଏଣୁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଏହି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ତୁରନ୍ତ ବିତାଡିତ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।