
କେସିଙ୍ଗା -୧୪/୭ କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ନୂଆପଡାରେ ନିର୍ମିତ ସୋଲାର ଚାଳିତ ପାଣି ପମ୍ପ ଦୀର୍ଘ ୧୮ ମାସ ହେଲା ଖରାପ ହୋଇ ପଡିରହିଥିବା ଯୋଗୁଁ ପଡାବାସୀ ଟୋପାଏ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ବାଲସି ପଞ୍ଚାୟତର ରେଙ୍ଗାଲି ଗ୍ରାମ ନୂଆପଡାରେ ପ୍ରାୟ ୧୭୦ ରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଏମାନଙ୍କ ପାନୀୟ ଜଳର ସୁବିଧା ପାଇଁ ପୂର୍ବ ରାଜ୍ୟ ସରକାର ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏକ ସୋଲାର ଚାଳିତ ପାଣିପମ୍ପ ଲଗାଇ ପ୍ଲାଷ୍ଟିକ ଟାଙ୍କିକୁ ପାଣି ଉଠାଇ ପଡାବାସୀଙ୍କୁ ଜଳ ଯୋଗାଣ କରୁଥିଲେ। ହେଲେ ୧୮ ମାସ ତଳେ କୌଣସି କାରଣ ବଶତଃ ସୋଲାର ପାଣିପମ୍ପ ଖରାପ ହୋଇଯିବା ଯୋଗୁଁ ପଡାବାସୀଙ୍କୁ ଆଉ ପାନୀୟ ଜଳ ଯୋଗାଣ ହୋଇପାରି ନଥିଲା। ଏ ବିଷୟରେ ପଡାବାସୀ ପ୍ରଥମେ ପଞ୍ଚାୟତର ପୂର୍ବତନ ସରପଞ୍ଚ ଭାରତୀ ସୁନା ଓ ପରେ ବ୍ଲକ କର୍ତ୍ତପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ କେହି କର୍ଣ୍ଣପାତ କଲେ ନାହିଁ କି ମରାମତି ର ସୁବିଧା କଲେ ନାହିଁ। ଫଳରେ ପଡାବାସୀ ନଳକୂପର ଫ୍ଲୋରାଇଡଯୁକ୍ତ ପାଣି ପିଇ କିଡ଼ନୀ ରୋଗରେ ଆକ୍ରାନ୍ତ ହେଲେଣି। ଏ ସମ୍ପର୍କରେ ବିଡିଓ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ ଏନେଇ ମୁଁ କିଛି ଜାଣିନାହିଁ। ଆପଣଙ୍କ ଠାରୁ ଜାଣିଲି। ସରପଞ୍ଚ ମାନେ କାହିଁକି ମୋତେ ଜଣାଉ ନାହାନ୍ତି। ଦ୍ବିତୀୟତଃ ଏହାର ମରାମତି ପାଇଁ ପଞ୍ଚାୟତରେ ଅର୍ଥ ରହିଛି। ଯଦି ଅଧିକ ଅର୍ଥ ଲାଗିବ ମୋତେ ଜଣାଇଲେ ମୁଁ ତା’ର ବ୍ୟବସ୍ଥା କରିନ୍ତି। ସେ ଯାହାହେଉ ଆଜି ପଞ୍ଚାୟତକୁ ପଚାରି ମରାମତି ପାଇଁ ବ୍ୟବସ୍ଥା କରୁଛି।