
କେସିଙ୍ଗା ୧୫/୧୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରୟାଗ ପ୍ରତିଶୃତି ମାଝୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏକ ଗର୍ଭବତୀ ମହିଳାଙ୍କ ମୣତ୍ୟୁ ଘଟିଥିବା ନେଇ ତାଙ୍କ ସ୍ବାମୀ ସୁରଜିତ ମାଝୀ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ ଯେ ତାଙ୍କ ସ୍ତ୍ରୀ ବେଲା ମାଝୀ ଗର୍ଭବତୀ ହେବା ୯ ମାସ ପରେ ତାଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ଗତ ୧୩ ତାରିଖ ଶନିବାର ଦିନ ୨ଟାରେ କେସିଙ୍ଗା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଶ୍ରୀମତୀ ମାଝୀ ବେଲା ମାଝୀଙ୍କୁ ଏକ ସାଲାଇନ ଦେଇଥିଲେ। ସାଲାଇନ୍ ଶେଷ ହେବା ଦେଖି ବେଲାଙ୍କ ସ୍ବାମୀ ସୁରଜିତ ସ୍ତ୍ରୀ ରୋଗ ବିଶେଷଜ୍ଞ ଶ୍ରୀମତୀ ମାଝୀ ଙ୍କୁ ଡାକିଥିଲେ, କିନ୍ତୁ ଏହି ସମୟ ମଧ୍ୟରେ ଉକ୍ତ ଡାକ୍ତର ରୋଗୀଙ୍କୁ ଦେଖିବା କିମ୍ବା ସୁବିଧା ଅସୁବିଧା ବୁଝିବା ପାଇଁ ଆସିନଥିଲେ ବୋଲି ତାଙ୍କ ସ୍ବାମୀ ଫୋନରେ ପ୍ରକାଶ କରିଛନ୍ତି। ଏବଂ ଡାକ୍ତର କହିଥିଲେ ଏବେ ପ୍ରସବ ବେଦନା ହେଉନାହିଁ, ବେଡକୁ ନେଇଯାଅ। ଏହାର କିଛି ସମୟ ପରେ ସୁରଜିତଙ୍କ ସ୍ତ୍ରୀ ବେଲା ଡାକ୍ତରଖାନାର ପାଇଖାନାରେ ପରିଶ୍ରା କଲାବେଳେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇ ଅଚେତ ହୋଇ ପଡିଯାଇଥିଲେ। ପରେ ପରେ ନର୍ସ ମାନେ ତାଙ୍କୁ ବେଡକୁ ଆଣିଥିଲେ। ଏହାପରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଶ୍ରୀମତୀ ମାଝୀ ରୋଗୀଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ରେଫର କରିଥିଲେ। ବେଲାଙ୍କୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ନେବା ବେଳେ ପାଷ୍ଟିକୁଡି ନିକଟରେ ତାଙ୍କର ମୣତ୍ୟୁ ଘଟିଥିଲା। ଏଣୁ ବେଲାଙ୍କ ସ୍ବାମୀ ସୁରଜିତ ମାଝୀ ଏହାର ତଦନ୍ତ କରି ଚିକିତ୍ସାରେ ଅବହେଳା କରିଥିବା ଉକ୍ତ ସ୍ତ୍ରୀ ରୋଗ ବିଶେଷଜ୍ଞ ଶ୍ରୀମତୀ ମାଝୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଡିଏମଓଙ୍କ ଜରିଆରେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।
